fbpx

ଭାରତ ଫେରିଲେ ମୀରାବାଇ ଚାନୁ; ଏମିତି ଉପହାର ଦେଲେ ମଣିପୁର ସରକାର

ଇମ୍ଫାଲ: ଟୋକିଓ ଅଲିମ୍ପିକ୍ସରେ ଦେଶକୁ ଗୌରବାନ୍ୱିତ କରିଥିବା ଭାରୋତ୍ତଳିକା ମୀରାବାଇ ସାଇଖୋମ ଚାନୁ ଭାରତ ଫେରିଛନ୍ତି । ଭାରତ ଫେରିବା ପରେ ମୀରାବାଇଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନୂଆଦିଲ୍ଲୀ ବିମାନ ବନ୍ଦର ବାହାରେ ଶତାଧିକ ପ୍ରଶଂସକ ଛିଡା ହୋଇଥିବା ବେଳେ ପୁରସ୍କାର ରାଶି ଘୋଷଣା କରିଛନ୍ତି ମଣିପୁର ସରକାର । ମୀରାଙ୍କ ସମେତ ଅନ୍ୟ ଅଲିମ୍ପିଆନଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ ।

ରୌପ୍ୟ ପଦକ ବିଜୟିନୀ ମୀରାବାଇଙ୍କୁ ମଣିପୁର ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏହା ସହିତ ମୀରାବାଇଙ୍କୁ ସହକାରୀ ଏସପି ପାହ୍ୟାକୁ ପଦୋନ୍ନତି ପ୍ରଦାନ କରାଯାଇଛି । ୪୯ କିଗ୍ରା ବର୍ଗରେ ଚାନୁ ରୌପ୍ୟ ପଦକ ହାସଲ କରିଛନ୍ତି । ଏହା ବ୍ୟତିତ ଜୁଡୋରେ ଅଂଶ ଗ୍ରହଣ କରିଥିବା ଲିକମାବାମ ସୁଶୀଳା ଦେବୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ଏହା ବ୍ୟତିତ ସୁଶୀଳାଙ୍କୁ କନେଷ୍ଟବଳରୁ ସବ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଖୁବଶୀଘ୍ର ଚାନୁଙ୍କ ନାମରେ ଏକ ବିଶ୍ୱ ସ୍ତରୀୟ ଭାରୋତ୍ତଳନ ଏକାଡେମୀ ସ୍ଥାପନ କରାଯିବ ବୋଲି କହିଛନ୍ତି ବୀରେନ୍ ।

Get real time updates directly on you device, subscribe now.