fbpx

ଦେଢ଼ଶ’ ଡ୍ରାଇଭରଙ୍କୁ ସମ୍ମାନିତ କଲେ ଚାନୁ, ଜାଣନ୍ତୁ କାହିଁକି…

ଓଡ଼ିଶା ଭାସ୍କର ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ଭାରତର ରୁପା ଝିଅ ତଥା ମଣିପୁର ମଣି ମୀରାବାଈ ଚାନୁ ଚମକିବା ପରେ ଚାରିଆଡୁ ମିଳୁଛି ଶୁଭେଚ୍ଛା-ସମ୍ମାନ । ତେବେ ମୀରାବାଈ ମଧ୍ୟ ଭୁଲି ନାହାନ୍ତି ତାଙ୍କ କଷ୍ଟ-ସାଧନାବେଳରେ ସାହାଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ । ଆଉ ଏହି ପରିପ୍ରେକ୍ଷୀରେ ଦେଢ଼ ଶହ ଟ୍ରକ୍ ଡ୍ରାଇଭର ଏବଂ ହେଲପରଙ୍କୁ ନିଜ ଘରକୁ ଡକାଇ ସମ୍ମାନିତ କରିଛନ୍ତି ମୀରାବାଈ ଚାନୁ ।

ସୂଚନା ଅନୁସାରେ ଚାନୁଙ୍କ ଗାଁ ରାଜଧାନୀ ଇମ୍ଫାଲସ୍ଥିତ ସ୍ପୋର୍ଟସ୍ କମ୍ପେ୍ଲକ୍ସଠାରୁ ପ୍ରାୟ ୨୫ କିମି ଦୂର । ପ୍ରତିଦିନ ଏତେ ଦୂର ଯାଇ ପ୍ରାକ୍ଟିସ୍ କରିବା ତାଙ୍କ ପାଇଁ ଥିଲା ବଡ଼ କଷ୍ଟକର ବ୍ୟାପାର । ତେଣୁ ଇମ୍ଫାଲ ଆଡ଼କୁ ବାଲି-ପଥର ଆଦି ନେଇ ଯାଉଥିବା ଟ୍ରକ୍ ଡ୍ରାଇଭର ଓ ହେଲ୍ପରଙ୍କୁ ଚାନୁ ମାଗୁଥିଲେ ଲିଫ୍ଟ । ସେମାନଙ୍କ ସାହାଯ୍ୟରେ ଚାନୁ ଅଭ୍ୟାସ କରିବାକୁ ଯାଇପାରୁଥିଲେ । ମୀରାବାଈ ପୂର୍ବରୁ ମଧ୍ୟ କହିଛନ୍ତି ଯେ ଇଥାମ୍ ମୋଇରାଙ୍ଗପୁରେଲ ଅଞ୍ଚଳରୁ ବାଲି ନେଇ ଆସୁଥିବା ଅଧିକାଂଶ ଟ୍ରକ୍ ତାଙ୍କ ଗାଁ ଦେଇ ଇମ୍ଫାଲ ଯାଇଥାଏ ଏବଂ ଡ୍ରାଇଭରମାନେ ତାଙ୍କ ଚା’ ଦୋକାନରେ ଅଟକିବା ସହ ଅଭ୍ୟାସ ପାଇଁ ଯିବାକୁ ଲିଫ୍ଟ ଦେଉଥିଲେ । ଆଉ ଏଥିପାଇଁ ସେମାନେ କେବେ ବି କୌଣସି ଦେୟ ଦାବି କରିନଥିଲେ । ତେଣୁ ସଫଳତା ପାଇବା ପରେ ସମ୍ପୃକ୍ତ ଟ୍ରକ୍ ଡ୍ରାଇଭରଙ୍କୁ ଚାନୁ ପ୍ରଶଂସା କରିବା ସହ ସମ୍ମାନିତ କରିଛନ୍ତି ।

ଚାନୁ ଆହୁରି କହିଛନ୍ତି ଯେ ସମ୍ପୃକ୍ତ ଡ୍ରାଇଭର୍ ଓ ହେଲପରଙ୍କ ବିନା ମୋର ଅଲିମ୍ପିଆନ୍ ହେବା ସ୍ୱପ୍ନ ପୂରଣ ହୋଇପାରିନଥାନ୍ତା । ଡ୍ରାଇଭରମାନଙ୍କୁ ଶାର୍ଟ, ମଣିପୁରୀ ଉତ୍ତରୀୟ ଆଦି ଉପହାର ପୂର୍ବକ ସମ୍ମାନ କରିଥିଲେ ଚାନୁ । ଏ ସମ୍ପର୍କିତ ଖବର ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ଭାଇରାଲ୍ ହେଉଛି ଏବଂ ଲୋକେ ମଣିପୁରର ମଣି ତଥା ଭାରତର ରୁପା ଝିଅଙ୍କ ସୁନା କାମକୁ ଖୁବ୍ ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.