fbpx

ନିଖୋଜ ଛାତ୍ରଙ୍କ ମୃତଦେହ ମିଳିବା ପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ଧର୍ମଶାଳା ଥାନା ଅଧୀନ ରଥିଆ ଗାଁ ଦେଇ ଯାଇଥିବା ନାଳରୁ ଗୁରୁବାର ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ର ୨ ଦିନ ହେବ ନିଖୋଜ ଥିବା ବେଳେ ଆଜି ମୃତଦେହ ଠାବ ପରେ ଗାଁ ଓ ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ଛାତ୍ର ହେଳେ ଧର୍ମଶାଳା ଅଭୟପୁର ଗାଁର ନରହରି ବେହେରାଙ୍କ ପୁଅ ରୁଦ୍ର ପ୍ରସାଦ ବେହେରା । ମୃତଦେହ ଉଦ୍ଧାର ପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଉଛି ।
ରୁଦ୍ର ଯୁକ୍ତ ଦୁଇର ଛାତ୍ର । ମଙ୍ଗଳବାର ସେ କୁଆଡେ ଯାଇଥିବା ବେଳେ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ପାଇ ନ ଥିଲେ । ବନ୍ଧୁ ବାନ୍ଧବଙ୍କୁ ମଧ୍ୟ ରୁଦ୍ର ସେମାନଙ୍କ ଘରକୁ ଯାଇଥିବା ନେଇ ପଚରା ଯାଇଥିଲା । କିନ୍ତୁ ସବୁଠୁ ନିରାଶା ହୋଇଥିଲେ ପରିବାର ବର୍ଗ । ତେଣୁ ଶେଷରେ ଧର୍ମଶାଳା ଥାନାରେ ରୁଦ୍ରଙ୍କ ନିଖୋଜ ନେଇ ଅଭିଯୋଗ ହୋଇଥିଲା ।
ପୋଲିସ ରୁଦ୍ରଙ୍କ ଖୋଜା ଖୋଜି ଆରମ୍ଭ କରିଦେଇଥିଲା । ତେବେ ଆଜି ସକାଳୁ ଶଗଡିଆ ନାଳରେ ରୁଦ୍ରଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରିବାର ଲୋକଙ୍କୁ ଏନେଇ ସୂଚିତ କରାଯାଇଥିଲା । ପୋଲିସ ଓ ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ମୃତଦେହ ରୁଦ୍ରଙ୍କର ଥିବା ପରିବାର ଚିହ୍ନଟ କରିଥିଲା । ଏହା ପରେ ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ତଦନ୍ତ ଆରମ୍ଭ କରିଛି ।
ମୃତଦେହ ଠାବ ପରେ ପରିବାର ଲୋକେ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ପରିବାର ଲୋକଙ୍କ କହିବା କଥା, କେହି ରୁଦ୍ରଙ୍କୁ ହତ୍ୟା କରି ନାଳରେ ଫିଙ୍ଗି ଦେଇଛି । ହତ୍ୟାକାରୀକୁ ଠାବ କରି କଠୋର ଦଣ୍ଡ ଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି ।

Get real time updates directly on you device, subscribe now.