‘ନକ୍ସଲ ପୋଷ୍ଟର ଲାଗିଥିବା ସ୍ଥାନକୁ ଯାଆନ୍ତୁ ନାହିଁ’: ଏସ୍‌ପି

କୋରାପୁଟ, (ଭାସ୍କର ନ୍ୟୁଜ୍‌): ‘କୌଣସି ସ୍ଥାନରେ ନକ୍ସଲ ପୋଷ୍ଟର ଲାଗିଥିଲେ, ତା ପାଖକୁ ଯାଆନ୍ତୁ ନାହିଁ ବରଂ ତୁରନ୍ତ ପୋଲିସ୍‌କୁ ଜଣାନ୍ତୁ ।’ ଏନେଇ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟାପଲି । ନିର୍ବାଚନ ବହିଷ୍କାର ବା ଅନ୍ୟ ବାର୍ତ୍ତା ଥିବା କୌଣସି ପ୍ରକାର ନକ୍ସଲ ପୋଷ୍ଟର ଲାଗିଥିଲେ ତା’ ନିକଟକୁ ନ ଯିବାକୁ କହିଛନ୍ତି ଏସ୍‌ପି । ନକ୍ସଲ ପୋଷ୍ଟର ଲାଗିଥିବା ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଲାଣ୍ଡମାଇନ୍‌ ବିସ୍ଫୋରଣ ହେବାରୁ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲାର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଗଜପତି ଜିଲ୍ଲାରେ ମଧ୍ୟ ସମାନ ଘଟଣା ଘଟି ଜଣେ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏପରି ପରାମର୍ଶ ଦେଇଛନ୍ତି ଏସ୍‌ପି ।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାରେ ୧୬ ତାରିଖରୁ ୨୪ ମଧ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । କୋଟିଆରେ ସୁରୁଖୁରୁରେ ନିର୍ବାଚନ କରାଇବାକୁ ଅଧିକ ପୁଲିସ୍‌ ମୁତୟନ କରାଯାଇଛି । ଜିଲ୍ଲାର ମୋଟ ୨ ହଜାର ୯୭୩ଟି ବୁଥ୍‌ ମଧ୍ୟରୁ ପ୍ରାୟ ୬ ଶହଟି ବୁଥ୍‌ ସମ୍ବେଦନଶୀଳ । ସେଠାରେ ଜଣେ ଜଣେ କନଷ୍ଟେବଳଙ୍କୁ ମୁତୟନ କରାଯିବ ବୋଲି ସୂଚନା ଦେଇଛନ୍ତି ଏସ୍‌ପି ।