“ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ”, ମୋଦକ ଚୋରିକୁ ନେଇ ସାମ୍ନାକୁ ଆସିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା
ମୋଦକ ଚୋରି ଘଟଣା: ସାମ୍ନାକୁ ଆସିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା
ପୁରୀ: ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାକୁ ନେଇ ସାମ୍ନାକୁ ଆସିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, “ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ।”
ସେ ଆହୁରି କହିଛନ୍ତି ଯେ, ବାଡ଼ଗ୍ରାହୀଙ୍କ ତଥ୍ୟ ସତ୍ୟ ଆଧାରିତ ନୁହେଁ। ଆହୁରି ତଦନ୍ତ ହେବ। ଆହୁରି ତଦନ୍ତ କରିବୁ। ସିସିଟିଭି ବି ଦେଖିବୁ। ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା କରିବା ଠିକ୍ ନୁହେଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି।
ଆଜି ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦଶମୂଳ ମୋଦକ ଚୋରି ହୋଇଛି।ଏଥିପାଇଁ ଶ୍ରୀଜିଉଙ୍କୁ ଲାଗି କରାଗଲା ମାରା ମୋଦକ। ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ।
ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ପାରମ୍ପରିକ ପଦ୍ଧତିରେ ଚାଲିଛି ଚିକିତ୍ସା । ଫୁଲୁରି ତେଲ ଲାଗି ପରେ ରାଜବୈଦ୍ୟ ଦଶମୂଳ ମୋଦକ ଗାରଦରେ ଦାଖଲ କରିବାର ପରମ୍ପରା ରହିଛି ।
ରାଜବୈଦ୍ୟ ମୋଟ ୩୧୩ଟି ମୋଦକ ଦାଖଲ କରିଥାନ୍ତି । କିନ୍ତୁ ଏଥିରୁ ୭୦ଟି ମୋଦକ କମ ଥିବା ଅଭିଯୋଗ ହୋଇଛି । ୩୧୩ ସ୍ଥାନରେ ୨୪୩ଟି ମୋଦକ ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ଅଭିଯୋଗ ଆଣିଛନ୍ତି ହଳଧର ଦାସ ମହାପାତ୍ର । ୭୦ଟି ମୋଦକ ଚୋରି ହୋଇଛି ।