ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା: ଏସଆରସି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ବାତ୍ୟା ୟଶ୍ ଓଡିଶାରେ ଅନେକ କ୍ଷୟକ୍ଷତି ଘଟାଇବା ସହିତ ବିଭିନ୍ନ ଗାଁରେ ପାଣି ପଶିଯାଇଛି । ଖାସ୍ କରି ବାଲେଶ୍ୱର ଏବଂ ଭଦ୍ରକରେ ବିଭିନ୍ନ ତଳିଆ ଅଞ୍ଚଳର ଲୋକ ମାନଙ୍କ ଘରେ ପାଣି ପଶିଯାଇଛି । ପ୍ରବଳ ବର୍ଷା ହୋଇଥିବାରୁ ପ୍ରଭାବିତ ହୋଇଥିବା ଜିଲ୍ଲା ମାନଙ୍କରେ ବିଭିନ୍ନ ଅଞ୍ଚଳ ବର୍ତ୍ତମାନ ଜଳମଗ୍ନ ରହିଛି । ତେବେ ଏନେଇ ଆଜି ଏସଆରସି ପ୍ରଦୀପ ଜେନା ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଆଉ କହିଛନ୍ତି ଯେ, ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ତେବେ ଖରାଦିନରେ ବନ୍ୟା ଆସିଥିବାରୁ ଏହାକୁ ନେଇ ବେଶି ବିପଦ ଆଶଙ୍କା କରାଯାଉ ନାହିଁ । ଏହି ପରିପ୍ରେକ୍ଷୀରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି । ଆବଶ୍ୟକ ପଡିଲେ ଲୋକାମାନଙ୍କୁ ସ୍ଥାନାନ୍ତରଣ କରାଯାଉଛି ।
ସେହିପରି ବୈତରଣୀ ନଦୀରେ ବାତ୍ୟାରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି । ଆନନ୍ଦପୁର ଏବଂ ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ । ସେପଟେ ଚାନ୍ଦବାଲିରେ ୪୨୭ ଏବଂ ରାଜନଗରରେ ୪୨୦ ମିଲିମିଟର୍ ବର୍ଷା ହୋଇଛି । ଅନ୍ୟପଟେ ବାତ୍ୟାରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ଜଣେ ଳେଖାଏଁ ମୃତ୍ୟୁବରଣ କରିଥିବା ସୂଚନା ଦେଇଛନ୍ତି ଏସଆରସି ।