fbpx

କେନ୍ଦ୍ର କ୍ୟାବିନେଟ୍‌ରେ ଅଦଳବଦଳ ନେଇ କାଉଣ୍ଟ୍‌ଡାଉନ୍‌ ଆରମ୍ଭ: ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଦୌଡ଼ରେ ଓଡ଼ିଶାର ୨ଜଣ ନେତା

Advertisement

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ର ସମ୍ପ୍ରସାରଣ ବୁଧବାର ସନ୍ଧ୍ୟା ୬ଟା ବେଳେ ହୋଇପାରେ । ତେଣୁ କେନ୍ଦ୍ର କ୍ୟାବିନେଟ୍‌ରେ ଅଦଳବଦଳ ନେଇ କାଉଣ୍ଟ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି । ଚଳିତ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ କ୍ୟାବିନେଟରେ ନୂଆ ମୁହଁଙ୍କୁ ସାମିଲ୍‌ କରାଯିବାର ସମ୍ଭାବନା ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, କ୍ୟାବିନେଟରେ ମୋଟ ୨୫ ନୂଆ ମନ୍ତ୍ରୀଙ୍କୁ ସାମିଲ୍‌ କରାଯାଇପାରେ । କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ମଙ୍ଗଳବାର ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍‌, ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ନାରାୟଣ ରାଣେ ଦିଲ୍ଲୀ ପହଞ୍ଚିଛନ୍ତି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍‌ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମଧ୍ୟରେ ଲଗାତର ବୈଠକ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ତେବେ ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଓଡିଶାରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଓଡିଶାରୁ ମଧ୍ୟ ଏଥର ସମ୍ପ୍ରସାରଣରେ ନୂଆ ଚେହେରାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ଓଡିଶାରୁ କେନ୍ଦ୍ରରେ ଦୁଇଜଣ ମନ୍ତ୍ରୀ ଅଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ କେନ୍ଦ୍ରରେ ମନ୍ତ୍ରୀ ଥିବା ବେଳେ ନୂତନ ମନ୍ତ୍ରୀମଣ୍ଡଳରେ ଓଡ଼ିଶାର କିଛି ନେତାଙ୍କୁ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟସଭାରେ ସଦସ୍ୟ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଏହି କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ବା ଅଦଳବଦଳରେ ଅଶ୍ୱିନୀ କ୍ୟାବିନେଟ ପାହ୍ୟା ପାଇପାରନ୍ତି ବୋଲି କୁହାଯାଉଛି । ଏହାବ୍ୟତୀତ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

କୁହାଯାଉଛି ମୋଦି ମନ୍ତ୍ରିମଣ୍ଡଳରେ ୨୦ ନୂଆ ଚେହେରା ସ୍ଥାନ ପାଇପାରନ୍ତି । ଆଗକୁ ଉତ୍ତରପ୍ରଦେଶ , ପଞ୍ଜାବ ଓ ଅନ୍ୟ ରାଜ୍ୟରେ ନିର୍ବାଚନ ଥିବାରୁ ଏହି ସଂପସାରଣରେ ଏହାର ପ୍ରତିଫଳନ ଦେଖିବାକୁ ମିଳିପାରେ । କେନ୍ଦ୍ର କ୍ୟାବିନେଟରେ ବିହାରର ୪ଜଣ ନେତାଙ୍କୁ ସାମିଲ୍‌ କରାଯାଇପାରେ । ବିହାରର ଯେଉଁ ଚାରିଜଣ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିବାର ସମ୍ଭାବନା ରହିଛି ସେମାନଙ୍କ ମଧ୍ୟରୁ ଜେଡିୟୁର ଦୁଇଜଣ ଏଲଜେପିରୁ ଜଣେ ଏବଂ ବିଜେପିର ଜଣେ ଅଛନ୍ତି ।

ସେହିପରି କିଛି ଅନ୍ୟ ନେତାଙ୍କୁ ମଧ୍ୟ ଦିଲ୍ଲୀ ଆସିବା ପାଇଁ କୁହାଯାଇଛି । ମୋଦିଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ପଛୁଆ ବର୍ଗର ପ୍ରତିନିଧିଙ୍କୁ ପ୍ରାଥମିକତା ଦିଆଯାଇପାରେ ଏବଂ ଯୁବ ନେତା ଓ ଦଳିତ ପ୍ରତିନିଧି ମଧ୍ୟ ସାମିଲ୍‌ ହୋଇପାରନ୍ତି । ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ଯୁବନେତା ଅନୁପ୍ରିୟା ପଟେଲ, ମନୋଜ ତିୱାରୀ, ହିନା ଗାବିତ୍‌ ଓ ରାହୁଲ୍‌ କାସୱାନଙ୍କୁ ମନ୍ତ୍ରୀ କରାଯାଇପାରେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.