fbpx

ଲୋକସଭା ନିର୍ବାଚନ ପୂର୍ବରୁ ହେବ ବଡ଼ ଘୋଷଣା! ଉପକୃତ ହେବେ ୧୦ କୋଟି କୃଷକ, ବାର୍ଷିକ ଅର୍ଥରାଶି ୮୦୦୦କୁ ବୃଦ୍ଧି ପାଇବ-ସୂତ୍ର

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ତା’ ପୂର୍ବରୁ ନୂଆବର୍ଷରେ ମୋଦୀ ସରକାର ଦେଶର ଗରିବ ଓ କୃଷକଙ୍କୁ ଦୁଇଟି ବଡ଼ ଉପହାର ଦେଇ ପାରନ୍ତି । ଆସନ୍ତା ଏପ୍ରିଲ-ମେ ମାସରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ହିତାଧିକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରନ୍ତି ।

ସୂଚନା ମୁତାବକ, ମୋଦୀ ସରକାର କୃଷକଙ୍କ ଆକାଉଣ୍ଟକୁ ଏଥର ୬ ହଜାର ବଦଳରେ ୮ ହଜାର ଟଙ୍କା ଟ୍ରାନ୍ସଫର କରିପାରନ୍ତି । ଖୁବଶୀଘ୍ର ପିଏମ କିଷାନ ଯୋଜନାର ଅର୍ଥରାଶି ବୃଦ୍ଧି ହେବାର ସମ୍ଭାବନା ରହିଛି । ପୂର୍ବରୁ ହିତାଧିକାରୀଙ୍କୁ ୩ଟି କିସ୍ତିରେ ବର୍ଷକୁ ମୋଟ ୬ ହଜାର ଟଙ୍କା ମିଳୁଥିବା ବେଳେ ନୂଆ ଘୋଷଣା ହେଲେ ହିତାଧିକାରୀଙ୍କୁ ବର୍ଷକୁ ୮ ହଜାର ଟଙ୍କାର ଅର୍ଥରାଶି ମିଳିବ । ଆସନ୍ତା ଫେବୃଆରୀ-ମାର୍ଚ୍ଚ ମଧ୍ୟରେ କେନ୍ଦ୍ର ସରକାର ପିଏମ-କିଷାନ ଯୋଜନାର ୧୬ତମ କିସ୍ତି ଜାରି କରିପାରନ୍ତି ।

ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ । ଗତ ବର୍ଷ ନଭେମ୍ବର ମାସ ୧୫ରେ କେନ୍ଦ୍ର ସରକାର ଏହି ଯୋଜନାର ୧୬ତମ କିସ୍ତି ଜାରି କରିଥିଲେ । ଏଥିସହିତ ଦେଶବାସୀଙ୍କୁ ପୁଣି ଏକ ବଡ଼ ଉପହାର ମିଳିପାରେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବୃଦ୍ଧି ନେଇ ମଧ୍ୟ ଘୋଷଣା ହୋଇପାରେ । ଆଗକୁ ଆଗତ ହେବାକୁ ଥିବା ଅନ୍ତରୀଣ ବଜେଟ ୨୦୨୪ରେ କେନ୍ଦ୍ର ସରକାର ଦେଶର ଗରିବ, କୃଷକ, ଯୁବକ ଓ ମହିଳାଙ୍କୁ ଅତିରିକ୍ତ ସହାୟତା ପ୍ରଦାନ ନେଇ ଚିନ୍ତା କରୁଛନ୍ତି । ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପାଇଁ ଆର୍ଥିକ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.