fbpx

ବିଦେଶରେ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ ମୋଦୀ: ଦୁଇ ଦିନିଆ ଗସ୍ତରେ UAE ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ସାରା ବିଶ୍ୱରେ ଏବେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ବର୍ତ୍ତମାନ ମୋଦୀ ବିଦେଶରେ ମଧ୍ୟ ହିନ୍ଦୁ ସାମ୍ରାଜ୍ୟ ଏବଂ ପରମ୍ପରାକୁ ଅଗ୍ରାଧିକାର ଦେବାକୁ ପ୍ରସ୍ତୁତ ହୋଇଛନ୍ତି । ଖୁବଶୀଘ୍ର ପଡ଼ୋଶୀ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରାତ(UAE)ରେ ଏକ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ଆସନ୍ତା ୧୩-୧୪ ତାରିଖ ପର୍ଯ୍ୟନ୍ତ ମୋଦୀ ୟୁଏଇ ଗସ୍ତରେ ଯାଉଛନ୍ତି । ଆବୁଧାବିରେ ଏକ ହିନ୍ଦୁ ମନ୍ଦିରର ଉଦଘାଟନ ଉତ୍ସବରେ ସାମିଲ ହୋଇ ମନ୍ଦିର ଉଦଘାଟନ କରିବେ ବୋଲି ଜାଣିବାକୁ ମିଳିଛି ।

ୟୁଏଇ ଯାତ୍ରା ସମୟରେ ମୋଦୀ ସେଠାକାର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ ନାହୟାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ । ଏ ନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ପି.ଏମ ମୋଦୀ ଏବଂ ୟୁଏଇର ରାଷ୍ଟ୍ରପତି ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଚୁକ୍ତିକୁ ଆଗକୁ ବଢାଇବା ପାଇଁ ବିଭିନ୍ନ ଉପାୟ ଉପରେ ଚର୍ଚ୍ଚା କରୁଛନ୍ତି । ଏହି ସମୟରେ ଉଭୟ ନେତା ନିଜ ଦେଶର ତଥା ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ, ଗତ ୮ ମାସରେ ମୋଦୀଙ୍କର ଏହା ପଞ୍ଚମ ଯାତ୍ରା ହୋଇଥିବା ବେଳେ ୨୦୧୫ ପରେ ସପ୍ତମ ଥର ପାଇଁ ୟୁଏଇ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ।

ପିଏମ ମୋଦୀଙ୍କ ଦୁଇ ଦିନିଆ ଗସ୍ତ ସମୟରେ ସେ ୟୁଏଇର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ। ଏହି ସମୟ ମଧ୍ୟରେ ଦୁବାଇରେ ଆୟୋଜିତ ହେବାକୁ ଥିବା ବିଶ୍ୱ ସରକାରୀ ସମ୍ମିଳନୀ ୨୦୨୪ ରେ ପ୍ରଧାନମନ୍ତ୍ରୀ ମୋଦୀ ଅତିଥି ଭାବରେ ଅଂଶଗ୍ରହଣ କରିବେ ଏବଂ ଏହି ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ।

Get real time updates directly on you device, subscribe now.