fbpx
BJD
BJD SKY
BJD SKY

ଜୁନ୍‌ ୨୪ରେ ବ୍ରିକ୍ସ ସମ୍ମିଳନୀ: ଭର୍ଚୁଆଲ୍‌ରେ ଏକାଠି ହେବେ ମୋଦି, ଜିନ୍‌ପିଙ୍ଗ୍‌, ପୁଟିନ

BJD

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲୁ ରହିଥିବା ଲମ୍ବା ସମୟର ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି ହୋଇଛି । ସେହିପରି ଲଦାଖ ସୀମାରେ ଚୀନର ସୀମାପାର କାର୍ଯ୍ୟକଳାପ ଅଶାନ୍ତକର ପରିସ୍ଥିତି ସୃଷ୍ଟି କରିଛି । ଏସବୁ ଭିତରେ ଆସନ୍ତା ଜୁନ୍‌ ୨୪ରେ ଆୟୋଜନ କରାଯାଉଥିବା ବ୍ରିକ୍ସ ସମ୍ମିଳନୀରେ ମୋଦିଙ୍କ ସହ ଭେଟ ହେବେ ଚୀନ ଓ ରୁଷର ରାଷ୍ଟ୍ରପତି । ସମ୍ମିଳନୀରେ ଏହି ନେତାମାନେ ସାମିଲ୍‌ ହେବେ ବୋଲି ସ୍ଥିର ହୋଇଛି ।

ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରିକ୍ସ ଦେଶସମୂହ ଗଠନ କରାଯାଇଛି । ତେବେ ଏହି ସାକ୍ଷାତ ଆଲୋଚନା ଭର୍ଚୁଆଲ୍‌ ମାଧ୍ୟମରେ ହେବ ବୋଲି ସ୍ଥିର ହୋଇଛି । ସମ୍ପ୍ରତି ସାରା ବିଶ୍ୱରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ଏହି ସମ୍ମିଳନୀ ଉପରେ ସାରା ବିଶ୍ୱର ନଜର ରହିଛି । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ପୁତିନ ପ୍ରଥମ ଥର ପାଇଁ ଏହି ସମ୍ମିଳନୀରେ ସାମିଲ ହେବେ ।

ଗତ ମଇ ୧୯ରେ ବ୍ରିକ୍ସ ଦେଶ ସମୂହର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମ୍ବୋଧନ ବେଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଅନ୍ୟ ଉପରେ ଆକ୍ରମଣ, ନିଜର ଦବ୍‌ଦବା ଦେଖାଇବାକୁ ବିରୋଧ କରିବା ସହ ଏକତା ଓ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଏହି ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଲଦାଖ ପ୍ରସଙ୍ଗକୁ ନେଇ ଚୀନ ଉପରେ ପ୍ରବଳ ବର୍ଷିଥିଲେ । ସେ କହିଥିଲେ, ବ୍ରିକ୍ସ ଏକତା, ସୀମାରେ ଅଖଣ୍ଡତା ତଥା ଅନ୍ତରାଷ୍ଟ୍ରୀୟ ଆଇନ୍‌କୁ ସମ୍ମାନ ଦେବା ପାଇଁ ଭାରତ ବାରମ୍ବାର ଚେଷ୍ଟା କରୁଥିବାବେଳେ କେତେକ ଦେଶ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ୟୁକ୍ରେନ ଉପରେ ରୁଷର ଆକ୍ରମଣ ନେଇ ଚୀନ ପୁଟିନଙ୍କୁ ସମର୍ଥନ ଯୋଗାଉଛି । ତେବେ ଭାରତ ଲଗାତାର ଉଭୟ ଦେଶ କଥାବାର୍ତ୍ତାରେ ସମାଧାନ କରିବା ପାଇଁ ଆହ୍ୱାନ ଦେଇ ଆସିଥିବା ଜୟଶଙ୍କର କହିଥିଲେ ।

Get real time updates directly on you device, subscribe now.