ଅଜୟ କୁମାରଙ୍କ ବିଜୟ ସୁନିଶ୍ଚିତ କରିବାକୁ ଲାଗିଛନ୍ତି ଓଡ଼ିଶା ନେତା: ପ୍ରଚାର ମଇଦାନରେ କଂଗ୍ରେସର ହେଭିୱେଟ୍ ମହମ୍ମଦ ମୋକିମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଓଡ଼ିଶା ମୁଦ୍ଦା ଭାରୀ ପଡ଼ିବାରେ ଲାଗିଛି । ଗତ କିଛି ଦିନ ଧରି ୭ଟି ଗଣ ଦୁଷ୍କର୍ମ ଓ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ଖବର ଓଡ଼ିଶାକୁ ନିନ୍ଦିତ କରୁଛି । ବିଜେପି ସରକାରକୁ ଆସିବା ପରେ ଅପରାଧିକ କାର୍ଯ୍ୟକଳାପ ସହ ମହିଳାଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ ବଢ଼ିବାରେ ଲାଗିଛି । ଓଡ଼ିଶାକୁ ସମ୍ଭାଳି ପାରୁନଥିବା ବିଜେପିର ନେତା, ମନ୍ତ୍ରୀମାନେ ଝାଡ଼ଖଣ୍ଡ ଯାଇିପ୍ରଚାର କରୁଛନ୍ତି । ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିବା ସହ ଓଡ଼ିଶା ବିଜେପି ନେତାଙ୍କୁ ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଷ୍ଟିୟରିଂ କମିଟି ସଦସ୍ୟ ମହମ୍ମଦ ମୋକିମ ।

ଶ୍ରୀ ମୋକିମ କହିଛନ୍ତି, ଓଡ଼ିଶା ବିଜେପି ନେତା ଝାଡ଼ଖଣ୍ଡର ପ୍ରଚାର ମଇଦାନରୁ ଉତ୍ତର ଦିଅନ୍ତୁ । କାହିଁକି ମହିଳା ମାନଙ୍କ ଉପରେ ଅତ୍ୟାଚାର ଓ ଶୋଷଣ ବଢୁଛି ଓ ଗତ କିଛି ଦିନରେ ୭ଟି ଗଣ ଦୁଷ୍କର୍ମ ଘଟିଛି, ସରକାର କାହିଁକି ହାତ ବାନ୍ଧି ବସିଛନ୍ତି? କାହିଁକି ସରକାର ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ଓଡ଼ିଆଙ୍କୁ ସାମିଲ୍ ନକରି ଆମ୍ବ ଟାକୁଆ ଖାଇବାକୁ ମଜବୁର କରୁଛନ୍ତି ? ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ଓ ଏହାର ଜବାବ୍ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ?
ଦୀର୍ଘ ଚାରି ଦିନ ଧରି ଶ୍ରୀ ମୋକିମଙ୍କ ନେତୃତ୍ୟରେ ଓଡ଼ିଶା କଂଗ୍ରେସର ଏକ ଟିମ୍ ଜାମସେଦପୁର ପୂର୍ବ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ତତସହିତ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଭାଲୁବାସା ରେ ରହୁଥିବା ଓଡ଼ିଆ ସମାଜର ଲୋକଙ୍କ ସହ ଏକ ବୈଠକ କରି ସେମାନଙ୍କ ଅସୁବିଧା ବିଷୟରେ ଶୁଣି ଏହି ନିର୍ବାଚନର ଅଜୟ କୁମାରଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ । ସାକଚି ବଜାର, ଗୋଲ୍ ମୋରି, ଆଗ୍ରିକୋ, ଟିନ୍ ପ୍ଲେଟ, ଆଗ୍ରୀକୋ ଇତ୍ୟାଦି ଅଞ୍ଚଳରେ ପ୍ରଚାର କରି ଲୋକଙ୍କୁ ସଚେତନ କରିବା ସହ କଂଗ୍ରେସ ପ୍ରାର୍ଥୀ ଡ. ଅଜୟ କୁମାରଙ୍କୁ ବିଜୟୀ କରିବାକୁ ଅନୁରୋଧ କରିଥିଲେ । ଜାମସେଦପୁର ପୂର୍ବ ନିର୍ବାଚନ ମଣ୍ଡଳୀରେ ବସବାସ କରୁଥିବା ବିଭିନ୍ନ ଓଡ଼ିଆ ଭୋଟରଙ୍କୁ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଜନ ଅସନ୍ତୋଷ ବିଷୟରେ ଅବଗତ କରି ବିଜେପିକୁ ହରାଇ କଂଗ୍ରେସକୁ ଜିତାଇବାକୁ ଶ୍ରୀ ମୋକିମ ଓଡ଼ିଆ ଭୋଟରଙ୍କୁ କହିଥିଲେ । ଏଥିସହିତ ବିଭିନ୍ନ ସଂଖ୍ୟାଲଘୁ ସମାଜ, ଶିଖ ସମାଜ ମାନଙ୍କ ସହ ଆଲୋଚନା କରି ଡ. ଅଜୟ କୁମାରଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ନିବେଦନ କରିଥିଲେ ।