ନୂଆଦିଲ୍ଲୀ: ଅଗଷ୍ଟ ମାସ ସରିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ଏହାପରେ ଆରମ୍ଭ ହେବାକୁ ଯାଉଛି ସେପ୍ଟେମ୍ବର ମାସ । ଦେଶରେ ପ୍ରତି ମାସର ପ୍ରଥମ ତାରିଖରେ କିଛି ପରିବର୍ତ୍ତନ ହୋଇଥାଏ । ଏହି ପରିବର୍ତ୍ତନ ସିଧା ସାଧାରଣ ଜନତାଙ୍କ ପକେଟ୍ ଉପରେ ପ୍ରଭାବ ପକାଇଥାଏ । ଏହି କ୍ରମରେ ସମସ୍ତେ ଏହି ପରିବର୍ତ୍ତନ ବିଷୟରେ ଜାଣି ରଖିବା ଉଚିତ । ସେପ୍ଟେମ୍ବର ୧ରୁ ବି ବହୁ ପରିବର୍ତ୍ତନ ହେବାକୁ ଯାଉଛି ଯାହା ବିଷୟରେ ନିମ୍ନରେ ଉଲ୍ଲେଖ କରାଗଲା ।
ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ ଟଙ୍କା ଛାଡ:
କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ରନ୍ଧନ ଗ୍ୟାସ ଉପରେ ୨୦୦ଟଙ୍କା ଛାଡ କରିବାକୁ ଘୋଷଣା କରିଛି । ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ପୂର୍ବରୁ ମିଳୁଥିବା ୨୦୦ ଟଙ୍କାର ସବସିଡି ବ୍ୟତିତ ଏହି ଲାଭ ଅଲଗା ମିଳିବ । ୩୦ ଅଗଷ୍ଟରୁ ସାରା ଦେଶରେ ନୂଆ ମୂଲ୍ୟ ଲାଗୁ ହୋଇଯାଇଛି । ଏଣୁ ସେପ୍ଟେମ୍ବରରେ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ଲାଗି ୨୦୦ ଟଙ୍କା କମ୍ ଦେବାକୁ ପଡିବ ।
ଆଧାର କାର୍ଡ ଅପଡେଟ୍ ଡେଟଲାଇନ୍:
ଆଧାର କାର୍ଡ ଜାରି କରିଥିବା ସଂସ୍ଥା (UIDAI) ଆଧାର ୟୁଜର୍ସଙ୍କୁ ମାଗଣାରେ ଆଧାର ଅପଡେଟ୍ କରିବାର ସୁବିଧା ପ୍ରଦାନ କରିଛି । ଯଦି ଆପଣ ଫ୍ରିରେ ଆଧାର ଅପଡେଟ୍ କରିବାକୁ ଚାହୁଁଛନ୍ତି ତେବେ ୧୪ ସେପ୍ଟେମ୍ବର ୨୦୨୩ ସୁଦ୍ଧା ଏହି କାମ ସାରି ଦିଅନ୍ତୁ । କାରଣ ଏହି ୧୪ ସେପ୍ଟେମ୍ବର ସୁଦ୍ଧା ହିଁ ଆପଣ ଏହା ମାଗଣାରେ କରିପାରିବେ ।
୨୦୦୦ ଟଙ୍କା ବଦଳ କରିବାର ଶେଷ ତାରିଖ:
ଆରବିଆଇ ୨୦୦୦ ଟଙ୍କା ବଦଳ ଓ ଜମା କରିବା ଲାଗି ୪ ମାସ ସମୟ ଦେଇଛି । ଏଥିପାଇଁ ୩୦ ସେପ୍ଟେମ୍ବର ୨୦୨୩ ଶେଷ ତାରିଖ ରହିଛି ।
ଡିମ୍ୟାଟ ଆକାଉଣ୍ଟରେ ନୋମିନେସନ ପୁରା କରିବାର ଶେଷ ତାରିଖ:
ଟ୍ରେଣ୍ଡିଂ ଓ ଡିମ୍ୟାଟ ଆକାଉଣ୍ଟ ହୋଲଡରଙ୍କ ଲାଗି ନୋମିନେସନ କରିବା ଓ ନୋମିନେସନ ଫେରାଇ ନେବାର ଶେଷ ତାରିଖ ୩୦ ସେପ୍ଟେମ୍ବର ୨୦୨୩ ରହିଛି । ତେଣୁ ଏହି କାମ ଆପଣ ୩୦ ସେପ୍ଟେମ୍ବର ସୁଦ୍ଧା ହିଁ ଶେଷ କରନ୍ତୁ ।
ସେପ୍ଟେମ୍ବରରେ ୧୬ ଦିନ ବ୍ୟାଙ୍କ ବନ୍ଦ:
ଏହି ମାସରେ ଆପଣ ବ୍ୟାଙ୍କ ଯାଇ କୌଣସି କାମ ସାରିବାକୁ ଯୋଜନା କରିଥିବା ବେଳେ ଛୁଟି ବିଷୟରେ ସୂଚନା ସଂଗ୍ରହ କରି ବ୍ୟାଙ୍କ ଯାଆନ୍ତୁ । କାରଣ ଏହି ମାସରେ ଭିନ୍ନ ଭିନ୍ନ ସମୟରେ ପୁରା ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଆପଣ ରିଜର୍ଭ ବ୍ୟାଙ୍କର ଅଧିକାରିକ ୱେବସାଇଟକୁ ଯାଇ ଛୁଟିର ତାଲିକା ଚେକ୍ କରିପାରିବେ ।