fbpx

ୟୁରୋପରେ ପ୍ରଥରଥର ପାଇଁ ତୀବ୍ର ହେଲା ‘ମଙ୍କିପକ୍ସ’ର ଆତଙ୍କ: ଜରୁରୀକାଳୀନ ବୈଠକ ଡକାଇଲା WHO

ନୂଆଦିଲ୍ଲୀ: ସାରା ଦୁନିଆରେ ମଙ୍କିପକ୍ସର ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବିପଦ ଘଣ୍ଟି ଏବେ ୟୁରୋପରେ ବାଜିଛି, ଯେଉଁଠାରେ ପ୍ରଥମଥର ପାଇଁ ରେକର୍ଡ ସଂଖ୍ୟାରେ ମଙ୍କିପକ୍ସ ମାମଲା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୟୁରୋପରେ ୧୦୦ ପାଖାପାଖି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେଲେଣି ।

ଏହି ଟ୍ରେଣ୍ଡର ଗଭୀରତାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ଏକ ଜରୁରୀକାଳୀନ ବୈଠକ ଡକାଇଛି । ଏହି ବୈଠକରେ ଅନେକ ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା କରାଯିବ । ମଙ୍କିପକ୍ସକୁ ମହାମାରୀ ଭାବେ ଘୋଷଣା କରାଯିବାକୁ ନେଇ ଚର୍ଚ୍ଚା ହେବ ।

ବର୍ତ୍ତମାନ ସୁଦ୍ଧା ୟୁରୋପର ମୋଟ ୯ଟି ଦେଶରେ ଏଣ୍ଟ୍ରି ମାରିଛି ମଙ୍କିପକ୍ସ । ସେହି ଦେଶଗୁଡ଼ିକ ହେଉଛି- ବେଲଜିୟମ, ଫ୍ୟାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ, ସ୍ପେନ୍, ସ୍ୱିଡନ୍ ଓ ବ୍ରିଟେନ୍ । ଏହା ବ୍ୟତୀତ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ବି ମଙ୍କିପକ୍ସର ବଢ଼ୁଥିବା ମାମଲା ଚିନ୍ତା ବଢ଼ାଇଛି । କିନ୍ତୁ ଏହି ବଢ଼ୁଥିବା ମାମଲାକୁ ଦେଖି ବିଶେଷଜ୍ଞଙ୍କ କହିବା ମୁତାବକ, ଏହି ରୋଗ ମହାମାରୀ ହୋଇପାରିବ ନାହିଁ । କାରଣ ଏହା କରୋନା ଭଳି ବ୍ୟାପୁନାହିଁ । ଏଥିରେ ସଂକ୍ରମିତ ହେବା ବି ଏତେ ସହଜ ନୁହେଁ ।

ତେବେ ମଙ୍କିପକ୍ସ ଏକ ବିରଳ ଭାଇରସ୍ ଓ ଏହା ଅତି ସହଜରେ ବ୍ୟାପିନଥାଏ । ଏହି ଭାଇରସ୍ ଉପରେ ଏକ ଅଧ୍ୟୟନ କରାଯାଇଛି । ଏହାର ଲକ୍ଷଣ ବି ସାମାନ୍ୟ । ଆଶ୍ୱସ୍ତିକର ଖବର କି, ଏଥିରେ ପୀଡିତ ରୋଗୀ କିଛି ସପ୍ତାହରେ ଠିକ୍ ହୋଇପାରିବେ । ଅବଶ୍ୟ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହେଲେ ଏହା ବିପଜ୍ଜନକ ହୋଇପାରେ । ଗତବର୍ଷ ଜୁଲାଇରେ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ହୋଇଥିଲେ ।

‘ମଙ୍କିପକ୍ସ୍‌’ ଭୂତାଣୁ ବସନ୍ତ ସୃଷ୍ଟି କରାଉଥିବା ‘ଅର୍ଥୋପୋକ୍ସ୍‌ଭାଇରସ୍‌’ ପରିବାରର। ଏହି ଭୂତାଣୁକୁ ବସନ୍ତ ଟିକାରେ ବ୍ୟବହାର କରାଯାଇଥିଲା। ‘ମଙ୍କିପକ୍ସ୍‌’ର ଲକ୍ଷଣ ବସନ୍ତ ଲକ୍ଷଣ ସହ ତୁଳନୀୟ ହେଲେ ବି ଏତେ ସାଙ୍ଘାତିକ ନୁହେଁ। ଟିକାକରଣ ଯୋଗୁଁ ୧୯୮୦ ମସିହାରୁ ବସନ୍ତ ରୋଗ ନିର୍ମୂଳ ହୋଇଯାଇଥିଲେ ବି କେନ୍ଦ୍ରୀୟ ଓ ପଶ୍ଚିମ ଆଫ୍ରିକା ଭଳି କେତେକ ଦେଶରେ ‘ମଙ୍କିପକ୍ସ’ ଭୂତାଣୁ ଏବେ ବି ରହିଛି। ‘ମଙ୍କିପକ୍ସ୍‌’ରେ ଆକ୍ରାନ୍ତ ହେଲେ ଦେହହାତରେ ଫଳି ଯାଇ ଘା’ ହେବା ସହ ଜ୍ବର ହୋଇଥାଏ। ଏହାଛଡ଼ା, କେତେକ ଆକ୍ରାନ୍ତଙ୍କ କ୍ଷେତ୍ରରେ ଜ୍ବର ସହ ଥଣ୍ଡା, ମୁଣ୍ଡବିନ୍ଧା, ମାଂସପେଶୀ ବିନ୍ଧା, ଅବସନ୍ନ ଆଦି ଲକ୍ଷଣ ଦେଖାଯାଏ।

Get real time updates directly on you device, subscribe now.