ଅଧା ଓଡ଼ିଶା ଛୁଇଁଲା ପରେ ଅଟକିଗଲା ମୌସୁମୀ, ୧୦ ଦିନ ପରେ ସକ୍ରିୟ ହେବାର ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥିଲେ ମଧ୍ୟ ଏହାର ଗତି ବର୍ତ୍ତମାନ ଅଟକି ରହିଛି। ମେ ୨୮ରେ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟଠାରୁ ୧୦ ଦିନ ଆଗରୁ ଦକ୍ଷିଣ ଓଡ଼ିଶାର ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ କଳାହାଣ୍ଡି ଜିଲ୍ଲାର କିଛି ଅଞ୍ଚଳକୁ ଛୁଇଁଥିଲା। କିନ୍ତୁ ଏକ ଦୁର୍ବଳ ଲଘୁଚାପ ଯୋଗୁଁ ମୌସୁମୀର ଅଗ୍ରଗତି ଧୀମା ପଡ଼ିଛି, ଯାହା ରାଜ୍ୟର ଅଧା ଅଞ୍ଚଳରେ ସକ୍ରିୟ ହେବାରେ ବିଳମ୍ବ ଘଟାଇଛି।

ଅଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଜୁନ ପ୍ରଥମ ସପ୍ତାହ ଯାଏଁ ମୌସୁମୀ ବାୟୁ ନିଷ୍କ୍ରିୟ ରହିବ। ଉତ୍ତର-ପଶ୍ଚିମ ଭାରତରୁ ପ୍ରବେଶ କରୁଥିବା ଶୁଷ୍କ ବାୟୁର ପ୍ରଭାବରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ଏବଂ ଉପକୂଳ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବ। ତେବେ, ଆସନ୍ତା ୧୦ ଦିନ ପରେ ଅର୍ଥାତ୍ ଜୁନ ୧୦ ପରେ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇ ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ବର୍ଷା ଆଣିବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ, ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ମୌସୁମୀକୁ ପୁନଃ ଶକ୍ତିଶାଳୀ କରିପାରେ। ଏହାର ପ୍ରଭାବରେ ଜୁନ ମଧ୍ୟଭାଗରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ସମୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସହ କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।

ଚାଷୀମାନେ ଏହି ବିରାମକୁ ନେଇ ଚିନ୍ତିତ ଥିଲେ ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ଚଳିତ ବର୍ଷ ମୌସୁମୀ ସମୟରେ ସାଧାରଣତଃ ଭଲ ବର୍ଷା ହେବ ଏବଂ ଚାଷ ପାଇଁ ପାଣିର ଅଭାବ ହେବ ନାହିଁ। ତେଣୁ ଚାଷୀମାନଙ୍କୁ ଧୈର୍ଯ୍ୟ ରଖି ପାଗ ଅନୁକୂଳ ହେବା ପାଇଁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।