fbpx

ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ଶାସକ-ବିରୋଧୀ ପ୍ରସ୍ତୁତ, କୋଭିଡ କଟକଣା ମଧ୍ୟରେ ଚାଲିବ ଗୃହ

୧୯ କାର୍ଯ୍ୟଦିବସ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହି ଅଧିବେଶନ ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ମୋଟ ୧୯ଟି କାର୍ଯ୍ୟଦିବସ ରହିବ । ମୌସୁମୀ ଅଧିବେଶନ ସମୟରେ କୋଭିଡର ସମସ୍ତ ନିୟମ କଡ଼ାକଡ଼ି ପାଳନ ହେବ । ତେବେ ମୌସୁମୀ ଅଧିବେଶନ ଆରମ୍ଭର ଗଟିଏ ଦିନ ପୂର୍ବରୁ ଅର୍ଥାତ୍‌ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରବିବାର ଦିନ ସଂସଦୟୀ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଷୀ ମୌସୁମୀ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ଉପସ୍ଥିତ ଥିଲେ । ଲୋକସଭାରେ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭାରେ କଂଗ୍ରେସ ଦଳର ନେତା ଅଲ୍ଲିକାର୍ଜୁନ ଖାଡ୍‌ଗେ, ଡିଏମ୍‌କେ ସାଂସଦ ଡାରେକ ଓବ୍ରାଏନଙ୍କ ସମେତ ଏହି ବୈଠକରେ ୩୩ଟି ଦଳର ୪୦ ନେତା ଉପସ୍ଥିତ ଥିଲେ ।

ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାଙ୍କ ସହ ଆଲୋଚନା କରି ୧୯ ଦିନର ଗୃହ କାର୍ଯ୍ୟ ସୁଚାରୁରୂପେ ଚଳାଇବାକୁ ଅପିଲ୍‌ କରିଛନ୍ତି । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ସେହି ପ୍ରସଙ୍ଗରେ ବିତର୍କ କରିବା ପାଇଁ ସରକାର ରାଜି ବୋଲି ମୋଦି କହିବା ସହ ବିରୋଧୀ ସମେତ ସମସ୍ତଙ୍କ ପ୍ରସ୍ତାବ ବହୁ ମୂଲ୍ୟବାନ ବୋଲି କହିଥିଲେ । ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ସହ ସଂସଦ ପରିଚଳାନା ନେଇ ଆଲୋଚନା କରିଛନ୍ତି ।

ସେପଟେ କଂଗ୍ରେସ ସାଂସଦଙ୍କ ସହ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ବୈଠକ କରିଛନ୍ତି । ପାଖାପାଖେ ଘଣ୍ଟାଏ ଧରି ଏହି ବୈଠକ ବସିଥିଲା । ଏହି ବୈଠକରେ ସଂସଦରେ କେଉଁ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରି ହେବ ସେ ନେଇ ଆଲୋଚନା ହୋଇଥିଲା । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି, କୋଭିଡ ଅବ୍ୟବସ୍ଥା, ଟିକା ଅଭାବ, ବୈଦେଶିକ ନୀତି, ରାଫେଲ ଡିଲ୍‌ ଭଳି ଅନେକ ପ୍ରସଙ୍ଗରେ ବିରୋଧୀ ଦଳ ମୋଦି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଏନ୍‌ଡିଏର ବୈଠକ ମଧ୍ୟ ରବିବାର ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହୋଇଥିଲେ । ବୈଠକରେ ସୁରୁଖୁରୁରେ ବିରୋଧିଙ୍କ ଚାଲ୍‌କୁ ଚକ୍‌ମା ଦେବା ନେଇ ଏନ୍‌ଡିଏ ମେଣ୍ଟ ଦଳମାନେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ପ୍ରକାଶଯୋଗ୍ୟ,କୋଭିଡର ଦ୍ୱିତୀୟ ଲହର ବେଳେ ପ୍ରଥମ ଅଧିବେଶନରେ ଅନେକ ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ବିରୋଧୀ ଯୋଜନା କରିଛନ୍ତି । ତୈଳ ଦର ବୃଦ୍ଧି, ଖାଦ୍ୟ ସାମଗ୍ରୀର ଦର ଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ଆଦିକୁ ପ୍ରସଙ୍ଗକୁ କରି ମୋଦି ସରକାରକୁ ସଂସଦରେ ଆଣ୍ଠେଇବାକୁ ଯୋଜନା କରିଛି ବିରୋଧୀ । ଟିକାକରଣ ଜରିଆରେ କୋଭିଡ଼ ନିୟନ୍ତ୍ରଣକୁ ଆସିବ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଟିକାକରଣରେ ମାନ୍ଦାବସ୍ଥା କାହିଁକି ହେଉଛି ବୋଲି ବିରୋଧୀ ସରକାରଙ୍କ ଉତ୍ତର ମାଗିବ ବୋଲି ଜଣାପଡ଼ିଛି ।

ୟଅନ୍ୟପଟେ ସଂସଦ ବାହାରେ ଆନ୍ଦୋଳନରତ ଚାଷୀ ମଧ୍ୟ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି । ଅନ୍ୟପଟେ ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡ଼ି ସଂସଦର ଏହି ମୌସୁମୀ ଅଧିବେଶନରେ ଓଡ଼ିଶା ବିଧାନ ପରିଷଦ ବିଲ୍‌, ମହିଳା ସଂରକ୍ଷଣ ବିଲ୍‌ ଓ ଅନୁସୁଚିତ ଜନଜାତି ସଂକ୍ରାନ୍ତୀୟ ବିଲ୍‌ ଆଣିବାକୁ ଦାବି କରିଛି । ଏନେଇ ସୂଚନା ଦେଇଛନ୍ତି ବିଜେଡ଼ି ସାଂସଦ ପିନାକୀ ମିଶ୍ର ।

Get real time updates directly on you device, subscribe now.