fbpx

ଆଜିଠୁ ଗଡ଼ିବ ଘରୋଇ ବସ୍‌, ସିଟ୍ ସଂଖ୍ୟା ଅନୁଯାୟୀ ବସ୍‌ରେ ଯାତ୍ରା କରିବେ ଯାତ୍ରୀ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଆଜିଠୁ ଗଢ଼ିବ ବସ୍‌। ଲକ୍‌ଡାଉନ୍ ଉଠିବା ପରେ ବସ୍ ସେବା ସ୍ୱାଭାବିକ ହେବ । ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଶନିବାର ଏନେଇ ସୂଚନା ଦେଇଛନ୍ତି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା ପରେ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଏନେଇ ସୂଚନା ଦେଇଛନ୍ତି । ସଂଘର ଦାବି ଉପରେ ଶୀଘ୍ର ନିଷ୍ପତ୍ତି ନେବାକୁ ପ୍ରତିଶ୍ରୁତି ଦିଆଯାଇଛି ବୋଲି ସଂପାଦକ କହିଛନ୍ତି ।

ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଚଳିତ ମାସ ୧୬ ତାରିଖରୁ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇଥିଲେ । ହେଲେ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ପ୍ରଥମେ ସରକାରଙ୍କ ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରାଯିବ ଓ ବସ୍‌ ଚଳାଚଳ କରାଯିବ ବୋଲି କୁହାଯାଇଥିଲା । ଫଳରେ ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ମଧ୍ୟ ରାଜ୍ୟରେ ବସ୍‌ ଚଳାଚଳ ସ୍ୱାଭାବିକ ହୋଇପାରି ନଥିଲା । ଘରୋଇ ବସ୍‌ ମାଲିକ ସଂଘ ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମ୍‌ଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍‌ ନଚଳାଇବାକୁ ନିଷ୍ପତ୍ତି ନେଇଥିଲା । ୧୮ ମାସ ଧରି ବନ୍ଦ ହୋଇ ପଡି ରହିଥିବା ବସ୍‌ ଚାଲିବା ଅବସ୍ଥାରେ ନାହିଁ । ଏଭଳି ସ୍ଥିତିରେ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ କମ୍‌ ସଂଖ୍ୟକ ଯାତ୍ରୀ ଯାତାୟତ କରୁଛନ୍ତି । ତେଣୁ କିଭଳି ଭାବେ ସମ୍ପୂର୍ଣ୍ଣ ବସ୍‌ ଚଳାଚଳ କରିବ ବୋଲି ସଂଘ ପ୍ରଶ୍ନ ଉଠାଇଥିଲା । ତେବେ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସମାଧାନର ରାସ୍ତା ବାହାରିଥିବା ଜଣାପଡ଼ିଛି ।

ପ୍ରକାଶଯୋଗ୍ୟ, ଦୀର୍ଘଦିନ ଧରି ଟିକସ ଛାଡ ପାଇଁ ବସ ମାଲିକମାନେ ଆବେଦନ କରୁଥିବା ବେଳେ ଗତ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ୩ ମାସ ଅର୍ଥାତ ଏପ୍ରିଲ୍‌, ମଇ ଓ ଜୁନ୍‌ ମାସର ବସ୍‌ ଟିକସ ଛାଡ଼ କରାଯାଇଥିଲା । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.