fbpx

ଏଥର ବିଳମ୍ବରେ ଆସିବ ମୌସୁମୀ: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

ନୂଆଦିଲ୍ଲୀ: ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୧ରେ କେରଳ ଉପକୂଳ ଛୁଇଁଥାଏ । ହେଲେ ଏଥର ସାମାନ୍ୟ ବିଳମ୍ବରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ । ସମ୍ଭବତଃ ଜୁନ ୪ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ବିଳମ୍ବରେ ମୌସୁମୀ ଆସିଲେ ମଧ୍ୟ ଏହାର ପ୍ରଭାବରେ ସ୍ୱାଭାବିକ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବାରେ ସାମାନ୍ୟ ବିଳମ୍ବ ଘଟିବ । କେରଳ ଉପକୂଳ ଛୁଇଁବାର ୧୦ ଦିନ ପରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିଥାଏ ।

ସୂଚନାଯୋଗ୍ୟ ଯେ ଗତବର୍ଷ ମେ ମାସ ୨୯ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁଥିଲା । ସେହିପରି ୨୦୨୧ରେ ଜୁନ ୩ ଓ ୨୦୨୦ରେ ଜୁନ ୧ରେ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଥିଲା । ଗତମାସରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ଚଳିତ ବର୍ଷ ଏଲନିନୋର ପ୍ରଭାବ ପଡ଼ିପାରେ । ତଥାପି ଦେଶରେ ସ୍ୱାଭାବିକ ବର୍ଷା ହେବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ୯୬ ପ୍ରତିଶତ ବର୍ଷା ହେବା ନେଇ ଆକଳନ କରାଯାଇଛି । ତେବେ ସାରା ଦେଶରେ ସ୍ୱାଭାବିକ ବର୍ଷା ନେଇ ଆକଳନ କରାଯାଇଥିଲେ ମଧ୍ୟ ଉତ୍ତର ପଶ୍ଚିମ ଭାରତର କିଛି ରାଜ୍ୟରେ କମ ବର୍ଷାର ସମ୍ଭାବନା ରହିଛି ।

ମୌସୁମୀ ବର୍ଷାର ପ୍ରଭାବ ଏଲନିନୋ ଉପରେ ନିର୍ଭର କରିଥାଏ । ଏଲନିନୋର ପ୍ରଭାବ ପଡ଼ିଲେ ବର୍ଷା କମ ହୋଇଥାଏ । ଯଦି ଦକ୍ଷିଣ ଓ ପଶ୍ଚିମ ଭାରତରେ ଏଲନିନୋର ପ୍ରଭାବ ପଡ଼େ ତେବେ ମରୁଡ଼ି ହେବାର ଆଶଙ୍କା ସୃଷ୍ଟି ହୋଇପାରେ । ସାଧାରଣତଃ ମୌସୁମୀ ଉପରେ ଚାଷୀମାନେ ନିର୍ଭର କରୁଥିବାରୁ ସେମାନେ ଭଲ ବର୍ଷାକୁ ଅପେକ୍ଷା କରିଛନ୍ତି । ଯଦି ମୌସୁମୀର ଦ୍ୱିତୀୟ ଭାଗରେ ଏଲନିନୋର ପ୍ରଭାବ ଶକ୍ତିଶାଳୀ ରହିବ ତେବେ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଚାଷ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।

Get real time updates directly on you device, subscribe now.