ନୂଆଦିଲ୍ଲୀ: ଦେଶ ତଥା ରାଜ୍ୟରେ ବର୍ତ୍ତମାନ ବର୍ଷା ଲାଗିରହିଛି । ଏହି ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଏବେ ଖବର ଆସିଛି ଯେ, ଦେଶରୁ ଖୁବଶୀଘ୍ର ବିଦାୟ ନେବାକୁ ଯାଉଛି ମୌସୁମୀ ।
ସୂଚନାନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ନେଇ ପାଗ ଅନୁକୂଳ ରହିଛି । ୧୫ ସେପ୍ଟେମ୍ବର ସୁଦ୍ଧା ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ । ଏହି ମୌସୁମୀ ଅପସାରଣ ପ୍ରକ୍ରିୟା ପଶ୍ଚିମ ରାଜସ୍ଥାନରୁ ଆରମ୍ଭ ହେବ ।
ବଙ୍ଗୋପସାଗରେ ସଷ୍ଟି ହେଲା ପୁଣି ଆଉ ଏକ ଲଘୁଚାପ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହୋଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଯାହା ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳର ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ, ଆଜି ସକାଳ 8ଟା 30 ସମୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି ।
ଏହା ଆଗାମୀ ୨ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ରହିଛି ।