fbpx

ଆଣ୍ଡାମାନରେ ପ୍ରବଳ ବର୍ଷିଲା ମୌସୁମୀ ବର୍ଷା: ୨୭ରେ କେରଳ, ଜୁନ୍‌ରେ ୭ରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ଠିକ୍‌ ସମୟରେ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରି ସାରିଥିବା ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାର ପ୍ରଭାବରେ ଆଣ୍ଡାମାନ ନିକୋବରରେ ପ୍ରବଳ ବର୍ଷା ମଧ୍ୟ ହୋଇଛି । ମୌସୁମୀ ବାୟୁ ପାଇଁ ବର୍ତ୍ତମାନ ଜଳବାୟୁ ଅନୁକୂଳ ଥିବାରୁ ଏହା କ୍ରମଶଃ ବଙ୍ଗୋପସାଗରର ଦକ୍ଷିଣ ପ୍ରାନ୍ତରେ ପ୍ରବେଶ କରିବା ସହ ଦୁଇରୁ ତିନିଦିନ ମଧ୍ୟରେ ସଂପୂର୍ଣ୍ଣ ଆଣ୍ଡାମାନ ସାଗର ଦ୍ୱୀପପୁଞ୍ଜ ତଥା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହାର ପ୍ରଭାବ ବିସ୍ତାର କରିବ ବୋଲି ଆଶା କରାଯାଇଥିବା ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବିଶେଷଜ୍ଞ ଆର.କେ.ଜେନାମଣି ସୂଚନା ଦେଇଛନ୍ତି ।

କେରଳ ଉପକୂଳରେ ଏହା ଆସନ୍ତା ୨୭ ତାରିଖ ସୁଦ୍ଧା ପ୍ରବେଶ କରିବାକୁ ଥିବାବେଳେ ଓଡ଼ିଶା ଉପକୂଳରେ ଜୁନ୍‌ ୭ ତାରିଖରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣତଃ ଜୁନ୍‌ ୧ ତାରିଖରେ ମୌସୁମୀ କେରଳ ପହଞ୍ଚିଥାଏ । ତେବେ ଚଳିତବର୍ଷ ଏହା ଆଗୁଆ କେରଳ ଛୁଇଁବା ନେଇ ଆକଳନ କରାଯାଇଥିଲା । ଏହି ଆକଳନ ଏବେ ସଠିକ ପ୍ରମାଣିତ ହୋଇଥିବା ପାଣିପାଗ ବିଭାଗ ସୂତ୍ରରୁ କୁହାଯାଇଛି । ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା “ଅସାନି’ ମୌସୁମୀକୁ ଆଗୁଆ ବାଟ କଢାଇବାରେ ସହାୟକ ହୋଇଥିବା କୁହାଯାଉଛି।

Get real time updates directly on you device, subscribe now.