fbpx

ରାଜ୍ୟରେ ୬୦୦ରୁ ଅଧିକ କୋଭିଡ ପଜିଟିଭ ଚିହ୍ନଟ: ଦେଖନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ପୁଣି ଥରେ ନିଜ କାୟା ବିସ୍ତାର କରୁଥିବା ଦେଖିବାକୁ ମିଳୁଛି । ପ୍ରତିଦିନ ଶହଶହ କୋଭିଡ ପଜିଟିଭ ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଲାଣି । ଆଜି ରାଜ୍ୟରେ ମୋଟ ୬୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୩୮୭ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୭୫ଟି ଲୋକାଲ କେସ ରହିଛି । ତେବେ ୧୦୪ ଜଣଙ୍କ ବୟସ ୧୮ କିମ୍ବା ତା’ଠାରୁ କମ ବୋଲି ଜଣାପଡିଛି ।

ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସୁନ୍ଦରଗଡରୁ ୧୪୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ମୟୁରଭଞ୍ଜରୁ ୭୮, ସମ୍ବଲପୁରରୁ ୪୮ ଏବଂ କଟକରେ ୩୮ ଜଣଙ୍କ ଦେହରେ କରୋନା ଭାଇରସ ଚିହ୍ନଟ ହୋଇଛି । ଅନ୍ୟ ୨କ୍ଷରେ କୋରାପୁଟ ଜିଲ୍ଲାରେ ଏହି ସଂଖ୍ୟା ୧୫ ରହିଥିବା ବେଳେ ସୋନପୁର ଏବଂ ଭଦ୍ରକ ଜିଲ୍ଲାରେ ୧୩ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଏହାପରେ ବରଗଡ, କଳାହାଣ୍ଡି, ନୟାଗଡ ଆଦି ଜିଲ୍ଲାରୁ ୧୨ ଜଣ, ରାୟଗଡା ଓ ନୂଆପଡା ଜିଲ୍ଲାରୁ ୧୧ ଜଣ ଲେଖାଏ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।

ସେହିପରି ବଲାଙ୍ଗୀର ଏବଂ କନ୍ଧମାଳ ଉଭୟ ଜିଲ୍ଲାରେ ୯ ଜଣ ଲେଖାଏଁ ଏବଂ ଯାଜପୁରରୁ ୮ ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହାପରେ ନବରଙ୍ଗପୁର ଓ ପୁରୀରୁ ୬ ଏବଂ ଦେଓଗଡ ଓ ଗଜପତି ଜିଲ୍ଲାରୁ ୫ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ବାଲେଶ୍ୱର, ବୌଦ୍ଧ ଓ ଝାରସୁଗୁଡାରେ ୪ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ, କେନ୍ଦ୍ରାପଡାରୁ ୩ ଜଣ ଲେଖାଏଁ କରୋନା ଅକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୮ଟି ଷ୍ଟେଟ ପୁଲ ରହିଛି ।
ତେବେ ଗତ ୨୪ ଘଣ୍ଟାରେ ମୋଟ ୧୦୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାପରେ ମଧ୍ୟ ଏବେ ବି ରାଜ୍ୟର ୭୦୫୪ ଜଣ ସଂକ୍ରମିତ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦର୍ଶାଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ୬୬୨ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟ ମୋଟ କୋଭିଡ ସଂଖ୍ୟା ୧୩ ଲକ୍ଷ ୭୯୧୧କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.