ଭୁବନେଶ୍ବର: ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ସକାଳୁ ଖୋଲିଲା ସ୍କୁଲ । ସକାଳ 6ଟା 30ରୁ ଆରମ୍ଭ ହେଲା ପାଠପଢ଼ା । ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ କ୍ଲାସ ଚାଲିବ ।
ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରାଯାଇଛି । ସକାଳୁଆ ସ୍କୁଲ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ଜାରି କରାଯାଇଥିଲା ।
4 ଘଣ୍ଟା ଧରି ସ୍କୁଲରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ରାଜ୍ୟର ସବୁ ଜିଲ୍ଲାପାଳମାନଙ୍କୁ ବିଭାଗୀୟ ସଚିବ ଚିଠି ଲେଖିଥିଲେ । ତୁରନ୍ତ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ତେଣୁ ସ୍କୁଲ ସମୟ ପରିବର୍ତ୍ତନ କରିବା ପାଇଁ ସରକାର ଚିନ୍ତା କଲେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ । ଏହା ସହ ସ୍କୁଲରେ ବ୍ୟାପକ ବ୍ୟବସ୍ଥା ହେବ । ସ୍କୁଲରେ ପାନୀୟ ଜଳ, ଓଆରଏସର ବନ୍ଦୋବସ୍ତ କରାଯାଇଛି ।
ପ୍ରକାଶଥାଉକି, ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ତାପମାତ୍ରା । କିଛି ଦିନ ତଳେ ବୌଦ୍ଧ ହେଉଛି ଭାରତର ସବୁଠୁ ଉତ୍ତପ୍ତ ଜିଲ୍ଲା ହୋଇଥିଲା । ଜିଲ୍ଲାର ତାପମାତ୍ରା ୪୩ ଡିଗ୍ରୀ ତାପମାତ୍ରା ଥିଲା । ତେବେ ଖରା ସାଙ୍ଗକୁ ଗୁଳୁଗୁଳି ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।