ନିର୍ଦ୍ଦୟୀ ମା’! ଫୋନରେ କଥା ହେବା ବେଳେ ପୁଅ କାନ୍ଦିବାରୁ ଗଳା ଚିପି କଲା ହତ୍ୟା

ନୂଆଦିଲ୍ଲୀ: କାନ୍ଦୁଥିବା ପିଲାକୁ ଚୁପ କରାଇବା ପାଇଁ ମା’ ମାନେ କେତେ ପ୍ରକାର ଚେଷ୍ଟା ନ’କରନ୍ତି! କିନ୍ତୁ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି ମା’ର ପାଶବିକତା । ନିଜ କାନ୍ଦୁଥିବା ପିଲାର କାନ୍ଦିବା ଯୋଗୁ ଫୋନରେ କଥା ହେବା ବାଧା ପ୍ରାପ୍ତ ହେବାରୁ ପିଲାକୁ ଚିରଦିନ ପାଇଁ ଶୁଆଇ ଦେଇଛି ମା’ । ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାରେ ।

ସୂଚନା ଅନୁଯାୟୀ, ଗୋଲଗୋ ଗ୍ରାମପଞ୍ଚାୟତ ବାସିନ୍ଦା ରୋଜନ ଅନସାରୀଙ୍କ ପୁଅ ନିଜାମୁଦ୍ଦିନଙ୍କ ବିବାହ ୬ ବର୍ଷ ତଳେ ପଞ୍ଚୱା ଥାନା ଅନ୍ତର୍ଗତ ସୁଗାସାର ବାସିନ୍ଦା ଅଫସାନାଙ୍କ ସହିତ ହୋଇଥିଲା । ନିଜାମଉଦ୍ଦିନ ମୁକ-ବଧିର ଥିଲେ । ତେବେ ବିବାହ ପରେ ତାଙ୍କର ୨ ଜଣ ପୁଅ ହୋଇଥିଲେ । ଜଣଙ୍କ ବୟସ ୪ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ମାତ୍ର ୨ ବର୍ଷ । ତେବେ ଗୁରୁବାର ବିଳ୍ୱିତ ରାତିିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ କିଛି ବଚସା ହୋଇଥିଲା । ଏହା ପରେ ଅଫସାନା ସାନ ପୁଅକୁ ନେଇ ଏକ କୋଠରୀକୁ ଚାଲିଯାଇଥିଲେ ।

ତେବେ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ଅଫସାନା କାହା ସହିତ ଫୋନରେ କଥା ହେଉଥିଲେ । ସେହି ସମୟରେ ତାଙ୍କର ସାନପୁଅ କାନ୍ଦିବାକୁ ଲାଗିଥିଲା । ତେବେ ତା’କୁ ଚୁପ କରିବା ପରିବର୍ତ୍ତେ ମହିଳା ତା’ର ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ଘଟିବାର ଅନେକ ସମୟ ପରେ ଯେତେବେଳେ ଅଫସାନା ସ୍ୱାମୀଙ୍କୁ ଭିତରକୁ ଶୋଇବାକୁ ଡାକିଥିଲେ, ତାଙ୍କ ସ୍ୱାମୀ ସେଠାରେ ପୁଅର ଏପରି ଅବସ୍ଥା ଦେଖି ଚିକ୍ରାର କରିବାକୁ ଲାଗିଥିଲେ । ଏହା ପରେ ପରିବାର ଲୋକ ତା’କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ମହିଳା ଜଣଙ୍କ ଏହାକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି । ତେବେ ଏ ନେଇ ମହିଳାଙ୍କ ଶ୍ୱଶୂର ରୋଜନ ଥାନାରେ ମହିଳାଙ୍କ ବିରୋଧରେ ଏକ ମାମଲା ଦାୟର କରିଛନ୍ତି । ତେବେ ଶିଶୁର ମୃତଦେହ ବ୍ୟବଚ୍ଛେଦ ପରେ ତା’ର ପରିବାର ଲୋକଙ୍କୁ ଦେଇ ଦିଆଯିବ ବୋଲି କହିଛି ପୁଲିସ । ଏହା ସହିତ ମହିଳାଙ୍କୁ ଗିରଫ କରାଯାଇ ପୁଲିସ ଏ ନେଇ ଅଧିକ ଅନୁସନ୍ଧାନ ଜାରି ରଖିଛି ।