fbpx

ମାତୃକରୁଣା ଓ ମାତୃପ୍ରେରଣା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରେ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ମାତୃକରୁଣା ଓ ମାତୃପ୍ରେରଣା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରେ। ମାତୃକରୁଣା ପ୍ରାପ୍ତ କରି ଛତ୍ରପତି ଶିବାଜୀ ମହାନ୍‍ ହୋଇଥିଲେ। ମାଆ ପୁତୁଲୀ ବାଈଙ୍କ ସାନିଧ୍ୟ ଲାଭ କରି ମହାତ୍ମା ଗାନ୍ଧୀ ଜାତିର ପିତା ହୋଇଥିଲେ। ମାଆ ପଦ୍ମାବତୀଙ୍କ ପ୍ରେରଣାରେ ଅତିବଡି ଜଗନ୍ନାଥ ଦାଶ ଓଡ଼ିଆ ଭାଗବତର ରଚନା କରିଥିଲେ ବୋଲି କିମ୍ବଦନ୍ତୀ ରହିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଅନେକ ସମୟରେ ବୃଦ୍ଧ ପିତାମାତାଙ୍କର କରୁଣ କାହାଣୀ ଶୁଣିବାକୁ ମିଳେ। କାନ୍ଥରେ ପିତାମାତାଙ୍କ ଫଟୋ ଲଗାଇବା ଆଧ୍ୟାତ୍ମିକତା ନୁହେଁ ବରଂ ସେମାନଙ୍କ ଯତ୍ନ ନେବା ପ୍ରତ୍ୟେକ ସନ୍ତାନର ଧର୍ମ ହେବା ଉଚିତ୍‍। ଯୋଗ ଉପରେ ଗୁରୁତ୍ୱାରୋପ କରି ରାଷ୍ଟ୍ରପତି କହିଛନ୍ତି, ଆଜି ସାରା ବିଶ୍ୱ ଯୋଗର ଉପକାରିତାକୁ ଉପଲବଧି କରିଛି। ଭାରତର ପ୍ରୟାସରେ ୨୦୧୪ ମସିହାରେ ମିଳିତ ଜାତିସଂଘ ଜୁନ୍‍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ଘୋଷଣା କରିଥିଲା । ସେ କହିଛନ୍ତି, ଆମେ ଯୋଗଯୁକ୍ତ ହେଲେ ରୋଗମୁକ୍ତ ହୋଇପାରିବା।

ନିଜର ବ୍ୟକ୍ତିଗତ ଅନୁଭୂତି ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି, ତାଙ୍କ ଜୀବନରେ ଏମିତି ଏକ କ୍ଷଣ ଆସିଥିଲା ଯେତେବେଳେ ସେ ଭାଙ୍ଗିପଡିଥିଲେ। ଏହିଭଳି ସମୟରେ ସେ ଯୋଗ ସହ ଯୋଡ଼ି ହୋଇଥିଲେ। ଏହାପରେ ତାଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଥିଲା। ସେ ଯୋଗ ସହ ଯୋଡ଼ି ହୋଇ ନଥିଲେ ଆଜି ଏହି କାର୍ଯ୍ୟକ୍ରମରେ ଛିଡ଼ା ହୋଇପାରି ନଥାନ୍ତେ ବୋଲି ରାଷ୍ଟ୍ରପତି କହିଛନ୍ତି। ଯୋଗ ମାଧ୍ୟମରେ ମାନସିକ ଓ ଶାରିରୀକ ସୁସ୍ଥତା ଲାଭ କରିବା ସମ୍ଭବପର। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଆତ୍ମାର ଶୁଦ୍ଧି ନ ହେବ ସେପର୍ଯ୍ୟନ୍ତ ଶାରୀରିକ ଶୁଦ୍ଧିର କିଛି ମହତ୍ତ୍ୱ ନାହିଁ। ଏଥିପାଇଁ ଯୋଗ ଓ ଧ୍ୟାନର ଆବଶ୍ୟକତା ରହିଛି। ଯୋଗ ଦ୍ୱାରା ହିଁ ଜଣକୁ ମାନସିକ ଶାନ୍ତି ମିଳିପାରିବ। ଯୋଗଯୁକ୍ତ ହେଲେ ଜୀବନରେ ସନ୍ତୁଷ୍ଟତା ଆସେ । କୁହାଯାଏ ଦିନେ ଭାରତ ବିଶ୍ୱଗୁରୁ ଥିଲା ।

ତେବେ ଏହା ଆଧ୍ୟାତ୍ମିକ ବିକାଶ ମାଧ୍ୟମରେ ସମ୍ଭବ ହୋଇପାରିଥିଲା। ଅର୍ଥ ସର୍ବସ୍ୱ ଜୀବନ ନୁହେଁ ବରଂ ଆଧ୍ୟାତ୍ମିକ ଶକ୍ତି ନୂତନ ଜୀବନର ସଂଚାର କରିଥାଏ। ସାମାଜିକ ଓ ଆର୍ଥିକ ବିକାଶ ସହ ଆଧ୍ୟାତ୍ମିକ ବିକାଶ ଜରୁରୀ। ପରିବେଶ ସନ୍ତୁଳନ ରକ୍ଷା ବିଷୟରେ ଆଲୋଚନା କରି ରାଷ୍ଟ୍ରପତି କହିଛନ୍ତି, ବର୍ତ୍ତମାନ ପୃଥିବୀରେ ପ୍ରକୃତିର ଅସ୍ୱାଭାବିକ ଆଚରଣ ଦେଖିବାକୁ ମିଳୁଛି । ଏହା ପଛରେ ୨ଟି କାରଣ ରହିଛି । ବିଶ୍ୱ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ । ଏହା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ହେଲେ ପ୍ରକୃତି ଅନୁକୂଳ ଜୀବନ ଯାପନ କରିବାକୁ ହେବ । ସେ କହିଛନ୍ତି, ବିଜ୍ଞାନ କ୍ଷେତ୍ରରେ ମଣିଷ ଯେତେ ଉନ୍ନତି କଲେ ମଧ୍ୟ ମଣିଷ ପ୍ରକୃତିର ପ୍ରଭୁ ନୁହେଁ ବରଂ ସନ୍ତାନ । ଜୀବଜଗତ ସହ ମଣିଷକୁ ସନ୍ତୁଳନ ରକ୍ଷା କରିବାକୁ ହେବ । ନିଜେ ବଞ୍ଚିବା ସହ ଅନ୍ୟମାନଙ୍କୁ ମଧ୍ୟ ବଞ୍ôଚବାକୁ ଦେବାକୁ ହେବ । ସେ କହିଛନ୍ତି, ବ୍ରହ୍ମାଣ୍ଡ ପ୍ରତି ବିନମ୍ରତା ପ୍ରକଟ କରିବା ଆମ ଜୀବନର ଧ୍ୟେୟ ହେବା ଉଚିତ୍‍ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠାତା ପରମହଂସ ପ୍ରଜ୍ଞାନନ୍ଦ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାଶ, ଜ୍ଞାନପ୍ରଭା ମିଶନ୍‍ର ସଭାପତି ଜ୍ୟୋତିର୍ମୟୀ ମିଶ୍ରଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ରାଷ୍ଟ୍ରପତି ଆଜି ଅପରାହ୍ଣରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆଜି ସକାଳେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚଥିଲେ । ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଥିଲେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରରେ ୪୦ ପ୍ଲାଟୁନ୍‍ ପୁଲିସ୍‍ ମୁତୟନ କରାଯାଇଛି । ସେହିଭଳି ଟ୍ରାଫିକ୍‍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଭାବେ ୫ ପ୍ଲାଟୁନ୍‍ ଫୋସ୍‍ର୍ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.