ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ; ଶିକ୍ଷା ଓ ଗବେଷଣାକୁ ଗୁରୁତ୍ୱ

ଭୁବନେଶ୍ୱର: ଶିକ୍ଷା, ଗବେଷଣା, ଓ ସାଂସ୍କୃତିକ ସହଯୋଗ ମାଧ୍ୟମରେ ଉଭୟ ବିଶ୍ଵବିଦ୍ୟାଳୟ ଶୈକ୍ଷିକ ବିକାଶ ନିମନ୍ତେ ଆଜି ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମଧ୍ୟରେ ଏକ ଚୁକ୍ତି ପତ୍ର ସ୍ୱାକ୍ଷରିତ ହୋଇଛି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ଏହି ଚୁକ୍ତିନାମାରେ ଉଭୟ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପନା ମଣ୍ଡଳୀଙ୍କ ଜରିଆରେ ଶିକ୍ଷା ଓ ଗବେଷଣାର ବିକାଶକୁ ଗୁରୁତ୍ୱ ଦିଆଯାଇଛି।

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଏହି ଚୁକ୍ତି ଫଳରେ ଶିକ୍ଷା, ଗବେଷଣା, ଓ ପ୍ରଶିକ୍ଷଣ ଦ୍ଵାରା ଭାଷା, ସାହିତ୍ୟ, ଧର୍ମ, ଦୃଶ୍ୟକଳା, ପରିବେଷଣ କଳା, ଭାସ୍କର୍ଯ୍ୟ, ସ୍ଥାପତ୍ୟ, ଲୋକସାହିତ୍ୟ, ଆଦିବାସୀ ସଂସ୍କୃତି ପ୍ରଭୃତି ବିଷୟରେ ଉଭୟ ବିଶ୍ଵବିଦ୍ୟାଳୟ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ। ଏହା ଫଳରେ ଉଭୟ ବିଶ୍ଵବିଦ୍ୟାଳୟ ସ୍ତରରେ ନୂତନ ଦିଗ ସଂପର୍କରେ ଅନୁସନ୍ଧାନ ଓ ଗବେଷଣା ଜରିଆରେ ଆମ ଭାଷା, ସାହିତ୍ୟ, ଓ ସଂସ୍କୃତିର ସାମାଗ୍ରିକ ବିକାଶ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ଏହି ଅବସରରେ ଏହାକୁ ଏକ ଐତିହାସିକ ଚୁକ୍ତି ଭାବେ ଅଭିହିତ କରି ଏହି ଚୁକ୍ତିପତ୍ର ଦ୍ୱାରା ଉଭୟ ବିଶ୍ଵବିଦ୍ୟାଳୟ ଆଗାମୀ ଦିନରେ ଆମର ଶିକ୍ଷା ଓ ସଂସ୍କୃତିର ସଂରକ୍ଷଣ ସହିତ ଏହାର ବିକାଶ ନିମନ୍ତେ ମିଳିତ ଉଦ୍ୟମ କରିବେ ଓ ଏହାଦ୍ବାରା ଉଭୟ ବିଶ୍ଵବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଗବେଷକ ଓ ଅଧ୍ୟାପକ ମଣ୍ଡଳୀ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ପାଇପାରିବେ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ପରିଚାଳନା ବୋର୍ଡ଼ର ସଦସ୍ୟ ତଥା ବିଶିଷ୍ଟ ଭାସ୍କର୍ଯ୍ୟବିତ୍, ପଦ୍ମଭୂଷଣ ସୁଦର୍ଶନ ସାହୁ, ପ୍ରଫେସର ଜତୀନ୍ଦ୍ର କୁମାର ନାୟକ, ପ୍ରଫେସର ଅସୀମ ରଂଜନ ପାଢୀ, ପ୍ରଫେସର ସନ୍ତୋଷ କୁମାର ରଥ, କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ, ପ୍ରଫେସର ସଂଘମିତ୍ରା ମିଶ୍ର, ପ୍ରଫେସର ନିଶାମଣି କର, ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ବିଶିଷ୍ଟ ସ୍ଥପତି ରବି ରଥ, ସହଯୋଗୀ ପ୍ରଫେସର ଡ. ଉମେଶ ଚନ୍ଦ୍ର ନାୟକ, ଡ. ଧୀରଜ କୁମାର ମହାପାତ୍ର, ସହକାରୀ ପ୍ରଫେସର ଡ. ଆଶିଷ ମହାପାତ୍ର, ଡ. ଇତିଶ୍ରୀ ସାହୁ, ଡ. ସନ୍ଦୀପ କୁମାର ରାଉତ, ଡ. ନୀଳାଦ୍ରି କଲ୍ୟାଣ ଦାସ, ଡ. ସାରଦା ପ୍ରସନ୍ନ ନାୟକ, ଡ. ନୀଲାଞ୍ଜନ ଦାସ, ଡ. କେ. ଡାଇମାଇ ଓ ଡ. ବବିତା ସାରଙ୍ଗ ଥେମ୍ ପ୍ରମୁଖ ଉପସ୍ଥିତ ଥିଲେ।