ନୂଆଦିଲ୍ଲୀ: ଦେଶରେ ଅନେକ ସ୍ଥାନରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । କିନ୍ତୁ ନୂଆ ଡେଲଟା ପ୍ଲସ ଭାରଆଣ୍ଟର ମାମଲା ସାମ୍ନକୁ ଆସିଛି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ପୁଣି ଆତଙ୍କ ଖେଳି ଯାଇଛି । ଏଭଳି ପରିସ୍ଥିତିରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କିନ୍ତୁ କୋଲକାତାରୁ ନକଲି ଟିକା ଦିଆଯାଉଥିବା ମାମଲା ସାମ୍ନାକୁ ଆସିଛି । ଖବର ମିଳିଛି ଯେ, ତୃଣମୁଳ କଂଗ୍ରେସ (ଟିଏମସି) ସାଂସଦ ବା ବଙ୍ଗାଳୀ ଫିଲ୍ମ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟାବସ୍ଥା ନକଲି ଟିକା ଯୋଗୁଁ ବିଗିଢ଼ିଯାଇଛି ।
ନିକଟରେ ମିମି ଏକ ଟିକାକରଣ କେନ୍ଦ୍ରକୁ ଯାଇଥିଲେ, ଯେଉଁଠାରେ ତାଙ୍କୁ ନକଲି ଟିକା ଦିଆଯାଇଥିଲା । ରିପୋର୍ଟ ମୁତାବକ, ମିମି ଚକ୍ରବର୍ତ୍ତୀ ଶନିବାର ଦିନ ଡିହାଇଡ୍ରେସନ ଓ ପେଟର ଯନ୍ତ୍ରଣା ଅନୁଭବ କରୁଥିଲେ । ଏହି ସମସ୍ୟା ଟିକାକରଣ ପରେ ଅନୁଭବ ହୋଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ କି, ଏହା ଟିକାକରଣ ଯୋଗୁଁ ହୋଇଛି କି ଅନ୍ୟ କାରଣରୁ ହୋଇଛି ।
ଅଭିନେତ୍ରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ଗଣମାଧ୍ୟମକୁ ଖବର ଦେଇ କହିଛନ୍ତି ଯେ, ସେ ଅତ୍ୟଧିକ ଡିହାଇଡ୍ରେସନ୍, ଲୋ ପ୍ରେସର ଏବଂ ପେଟରେ କଷ୍ଟ ଅନୁଭବ କରୁଛନ୍ତି । ଏହା ପୂର୍ବରୁ ଟିଏମସି ସାଂସଦ କୋଲେଷ୍ଟ୍ରଲ ସହ ଲଢ଼େଇ କରୁଛନ୍ତି । ଏବେ ତାଙ୍କାର ଚିକିତ୍ସା ଚାଲିଥିବା ଅଭିନେତ୍ରୀଙ୍କ ସହଯୋଗୀ କହିଛନ୍ତି ।