ନୂଆଦିଲ୍ଲୀ: ଆଇପିଏଲ-୨୦୨୫ର ମେଗା ଅକ୍ସନ ପୂର୍ବରୁ ରିଟେନସନ୍ ପଲିସିକୁ ନେଇ ଚର୍ଚ୍ଚା ଜାରି ରହିଛି । ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ରିଟେନସନ୍ । ତେବେ ଆଇପିଏଲ-୨୦୨୫ ପାଇଁ ବିସିସିଆଇ ଫ୍ରାଞ୍ଚାଇଜି ମାଲିକମାନଙ୍କ ସହଏକ ବୈଠକ କରିଛି । ଏହି ବୈଠକରେ ମେଗା ଅକ୍ସନ, ଇମ୍ପାକ୍ଟ ପ୍ଲେୟର ଏବଂ ରିଟେନସନ୍ ପ୍ରକ୍ରିୟାକୁ ନେଇ ଆଲୋଚନା ହୋଇଛି । ଏହି ବୈଠକରେ ଚେନ୍ନାଇ ସୁପର କିଙ୍ଗସ ଧୋନୀଙ୍କୁ ରିଟେନ୍ କରିବା ପାଇଁ ବିସିସିଆଇକୁ ଏକ ନିୟମ ପାଇଁ ଆବେଦନ କରିଥିଲେ । ତେବେ ବିସିସିଆଇ ଏହି ନିୟମ ମାନି ନେଇଥିବା ଜାଣିବାକୁ ମିଳିଛି । ଅର୍ଥାତ୍ ମାହି ଆସନ୍ତାବର୍ଷ ଜଣେ ଅନ୍ କ୍ୟାପ୍ଡ ପ୍ଲେୟର ଭାବରେ ଦଳରେ ସାମିଲ ରହିପାରନ୍ତି ।
ଆଇପିଏଲର ପ୍ରଥମ ସିଜନରେ ଏକ ନିୟମ ଆସିଥିଲା । ଏହି ନିୟମ ଅନୁସାରେ, ଫ୍ରାଞ୍ଚାଇଜି ଇଣ୍ଟରନେସନାଲ କ୍ରିକେଟରୁ ସନ୍ନ୍ୟାସ ନେଇ ସାରିଥିବା ଖେଳାଳିଙ୍କୁ ଅନ୍ କ୍ୟାପ୍ଡ ଖେଳାଳି ଭାବରେ ଦଳରେ ସାମିଲ କରିପାରିବେ । ତେବେ ଏଥିପାଇଁ ଗୋଟିଏ ସର୍ତ୍ତ ରହିଥିଲା, ଖେଳାଳି ୫ ର୍ବେ ପୂର୍ବରୁ କ୍ରିକେଟ ଜଗତରୁ ବିଦାୟ ନେଇଥିବା ଉଚିତ୍ । ତେବେ ଏହି ନିୟମ ବ୍ୟବହାର ନ ହେବାରୁ ବିସିସିଆଇ ଏହାକୁ ୨୦୨୧ ମସିହାରେ ଉଠାଇ ଦେଇଛି । ତେବେ ବର୍ତ୍ତମାନ ଚେନ୍ନାଇ ମାହିଙ୍କୁ ରିଟେନ୍ କରିବା ପାଇଁ ଏହି ନିୟମ ଲାଗୁ କରିବା ପାଇଁ ଅନୁରୋଧ କରିଛି । ତେବେ ଖୁବ କମ୍ ଫ୍ରାଞ୍ଚାଇଜି ଏହି ନିୟମକ ସମର୍ଥନ କରିଥିବା ବେଳେ ବର୍ତ୍ତମାନ ଏହି ନିୟମ ଆସିବା ନେଇ ଆଶାପ୍ରକଟ କରାଯାଉଛି । ତେବେ ଖେଳାଳିମାନଙ୍କ ରେଗୁଲେସନ୍ ଘୋଷଣା ସମୟରେ ଏ ନେଇ ମଧ୍ୟ ଘୋଷଣା କରିପାରେ ବିସିସିଆଇ ।
ଆଇପିଏଲ-୨୦୨୫ରେ ଖେଳିବା ନେଇ ଧୋନୀ ବୟାନ ନିଜ ଦେଇଛନ୍ତି । ସେ କହିଛନ୍ତି ଯେ, “ମୋ ହାତରେ କିଛି ନାହିଁ । ସବୁକିଛି ନୂଆ ରିଟେନସନ୍ ପଲିସି ଉପରେ ନିର୍ଭର କରେ ।” ତେବେ ବର୍ତ୍ତମାନର ନିୟମ ଅନୁସାରେ, ପ୍ରତ୍ୟେକ ଫ୍ରାଞ୍ଚାଇଜି ୪ ଜଣ ଲେଖାଏଁ ଖେଳାଳିଙ୍କୁ ରିଟେନ୍ କରିବାର ନିୟମ ରହିଛି । କିନ୍ତୁ ରିପୋର୍ଟ ଅନୁସାରେ, ଅନ୍ କ୍ୟାପ୍ଡ କାଟାଗୋରୀ ଏବଂ ରିଟେନସନ୍ ନିୟମରେ ପରିବର୍ତ୍ତନକୁ ନେଇ ଅନେକ ଖବର ସାମନାକୁ ଆସିଛି । ତେଣୁ ଏହି ନିୟମ ଲାଗୁ ହେଲେ ଧୋନୀ ପୁଣିଥରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁ ଥିବାର ନଜର ଆସିବେ ।