fbpx

ନିର୍ବାଚନ ପରେ ଚେଇଁ ଉଠିଲା ସିବିଆଇ: ନାରଦା କେସରେ ଟିଏମସିର ଦୁଇ ମନ୍ତ୍ରୀ ସମେତ ୪ ନେତା ଗିରଫ, ମମତା କ୍ଷୁବ୍ଧ

କୋଲକାତା ୧୭ ।୦୫: ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବାର କିଛି ଦିନ ପରେ ପଶ୍ଚିମବଙ୍ଗ ରାଜନୀତିରେ ନାଟକୀୟ ମୋଡ ଆସିଛି। ବିଧାନସଭା ନିର୍ବାଚନ ଶେଷ ହେବା ମାତ୍ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ସକ୍ରିୟ ହୋଇ ଉଠିଛି । ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ସିବିଆଇ ରାଜ୍ୟର ମମତା ବାନାର୍ଜୀ ସରକାରର ୨ ମନ୍ତ୍ରୀ ସମେତ ଚାରି ନେତାଙ୍କୁ ଗିରଫ କରି ନେଇଛି । ଏଜେନ୍ସି ସୋମବାର ଟିଏମସି ମନ୍ତ୍ରୀ ଫିରହାଦ ହାକିମ, ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ରା ଓ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ଗିରଫ କରିଛି। ଏହି ସବୁ ନେତାଙ୍କୁ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ଗିରଫ କରାଯାଇଛି । ସୋମବାର ସିବିଆଇ ଏହି ନେତାଙ୍କ ଘରେ ପହଂଚି ପଚରା ଉଚୁରା ପାଇଁ ଚାରି କୋଲକାତା ନିଜାମ ପ୍ୟାଲେସ୍ ସ୍ଥିତ ନିଜ କାର୍ଯ୍ୟାଳୟକୁ ନେଇଥିଲା ।

ଅପରପକ୍ଷେ ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୋଦ୍ ସିବିଆଇ କାର୍ଯ୍ୟାଳୟ ପହଂଚିଛନ୍ତି । ରାଜନୈତିକ ପ୍ରତିଶୋଧ ଉଦ୍ଦେଶ୍ୟରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି । ମମତା ବାନାର୍ଜୀଙ୍କ ବ୍ୟତୀତ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଓ ସାନ୍ତନୁ ସେନ ମଧ୍ୟ ସିବିଆଇ କାର୍ଯ୍ୟାଳୟ ପହଂଚିଛନ୍ତି । କେବଳ ଏତିକି ନୁହେଁ ସିବିଆଇ ପକ୍ଷରୁ ଗିରଫ ଶୋଭନ ଚାଟାର୍ଜୀଙ୍କ ପତ୍ନୀ ମଧ୍ୟ ସିବିଆଇ ଦପ୍ତର ପହଂଚିଛନ୍ତି ।

ସିବିଆଇ ସୂତ୍ର ଅନୁ୍‌ଯାୟୀ, ଜେରା ପରେ ଚାରି ନେତାଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ ଅଦାଲତରେ ହାଜର କରାଯିବ । ରାଜ୍ୟପାଳ ଜଗଦୀପ ଧନଖଡଙ୍କ ପକ୍ଷରୁ ଏହି ନେତାଙ୍କ ବିରୋଧରେ ମୋକଦ୍ଦମା ଚଲାଇବାକୁ ମଞ୍ଜୁରୀ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଉଲ୍ଲେଖନୀୟ ଟିଏମସି ନେତା ଶୋଭନ ଚାଟାର୍ଜୀ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ । ମାତ୍ର ବିଜେପି ପକ୍ଷରୁ ବିଧାନସଭା ନିର୍ବାଚନରେ ଟିକେଟ୍ ନମିଳିବାରୁ ସେ ପାର୍ଟିରୁ ଇସ୍ତଫା ଦେଇଥିଲେ ।

ସିବିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଟିଏମସି ମୁଖପାତ୍ର କୃଣାଲ ଘୋଷ ସିବିଆଇର ଏହି ପଦକ୍ଷେପକୁ ଘୋର ନିନ୍ଦା କରିଛନ୍ତି । ଅନ୍ୟପଟେ ବିଜେପି କହିଛି ଯେ, ଏହି ସବୁ ନେତାଙ୍କ ଗିରଫଦାରୀ ପଛରେ ପାର୍ଟିର କୌଣସି ଭୂମିକା ନାହିଁ । ଏହି ମାମଲାରେ ଆମକୁ କିଛି କହିବାର ନାହିଁ ବୋଲି ପାର୍ଟି ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ।

Get real time updates directly on you device, subscribe now.