fbpx
BJD SKY
BJD SKY

ଗିରଫ ଟିଏମସି ନେତାଙ୍କ ଜାମିନ ନେଇ ମତଭେଦ, ଗୃହବନ୍ଦୀ କରିବାକୁ ଆଦେଶ ଦେଲେ ହାଇକୋର୍ଟ

BJD

କୋଲକାତା ୨୧ ।୦୫: ନାରଦ ଷ୍ଟିଙ୍ଗ ଅପରେସନ ମାମଲାରେ ବଢିଲା ତୃଣମୂଳ କଂଗ୍ରେସର ଅଡୁଆ । ଗିରଫ ଚାରି ନେତାଙ୍କୁ ଗୃହବନ୍ଦୀ ରଖାଯିବ ବୋଲି ଶୁକ୍ରବାର କହିଛନ୍ତି କଲିକାତା ଉଚ୍ଚ ନ୍ୟାୟାଳୟ । ହାଇକୋର୍ଟ କହିଛନ୍ତି, ନାରଦ ଷ୍ଟିଙ୍ଗ ଅପରେସନରେ ପଶ୍ଚିମବଙ୍ଗର କ୍ୟାବିନେଟର ଦୁଇ ମନ୍ତ୍ରୀ ଫିରହାଦ ହକିମ ଓ ସୁବ୍ରତ ମୁଖାର୍ଜୀ. ବିଧାୟକ ମଦନ ମିତ୍ର ଓ ପୂର୍ବତନ ଟିଏମସି ନେତା ଶୋଭନ ଚାଟାର୍ଜୀଙ୍କୁ ସଂପ୍ରତି ନଜରବନ୍ଦ ରଖାଯିବ । କିନ୍ତୁ ବିଚାରପତିଙ୍କ ମଧ୍ୟରେ ଜାମିନ ପ୍ରଦାନ ନେଇ ମତଭେଦ ହେବାରୁ ଏବେ ଏହାର ଶୁଣାଣି ତିନି ସଦସ୍ୟ ପୀଠ କରିବ ।

କଲିକାତା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ନେତାଙ୍କୁ ନଜରବନ୍ଦ ରଖିବାକୁ ଆଦେଶ ଦେଇଥିବା ବେଳେ ଅନ୍ୟ ବିଚାରପତି ଅରିଜିତ ବାନାର୍ଜୀ ଚାରି ନେତାଙ୍କୁ ଜାମିନ ଦେବାକୁ ଆଦେଶ ଦେଇଛନ୍ତି । ବିଚାରପତି ବାନାର୍ଜୀ କହିଛନ୍ତି, ପୀଠର ଜଣେ ସଦସ୍ୟ ହୃଦବୋଧ କରିଛନ୍ତି ଯେ, ଜାମିନ ପ୍ରଦାନ କରିବା ଉଚିତ୍‌, ମାତ୍ର ଦ୍ୱିତୀୟ ବିଚାରପତି ଏଥିରେ ସହମତ ନାହାନ୍ତି । ଏଥିପାଇଁ ଜାମିନକୁ ନେଇ ବଡ ଖଣ୍ଡପୀଠ ଏହାର ନିଷ୍ପତି ନେବେ । ତେଣୁ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ନେତାଙ୍କୁ ନଜରବନ୍ଦ ରଖିବାକୁ କୋର୍ଟ ସହମତି ଭିତିରେ ମଞ୍ଜୁରୀ ଦେଇଛନ୍ତି ।

ସିବିଆଇ ଓ ଶାସକ ଟିଏମସି ଉଭୟ ଗୃହବନ୍ଦୀ ଆଦେଶକୁ ବିରୋଧ କରିଛନ୍ତି । ସିବିଆଇ ପକ୍ଷରୁ କୋର୍ଟରେ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଅଦାଲତର ନିଷ୍ପତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ଟିଏମସି ନେତାଙ୍କ ଓକିଲ ଅଭିଷେକ ମନୁ ସିଙ୍ଗଭି କହିଛନ୍ତି, ଗୃହବନ୍ଦୀ ରଖାଯିବା ମଧ୍ୟ ଗିରଫଦାରୀଠୁ କିଛି କମ ନୁହେଁ । ନେତାମାନଙ୍କୁ ମୁକ୍ତ କରିବା ଉଚିତ୍ ବୋଲି ସିଙ୍ଘଭି କୋର୍ଟରେ କହିଛନ୍ତି ।

ଚାରି ଟିଏମସି ନେତାଙ୍କୁ ଚଳିତ ସପ୍ତାହ ସୋମବାର ହାଇଭୋଲଟେଜ୍ ଡ୍ରାମା ପରେ ସିବିଆଇ ଗିରଫ କରିଥିଲା । ଗିରଫଦାରୀ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୋଦ୍ ସିବିଆଇ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ଏହା ପରେ ଅସ୍ୱାଭାବିକ ସ୍ଥିତିକୁ ଦେଖି ସିବିଆଇ ମାମଲାକୁ ପଶ୍ଚିମବଙ୍ଗ ବାହାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ହାଇକୋର୍ଟରେ ଦାବି କରିଥିଲା । ଏହା ପୂର୍ବରୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଚାରି ନେତାଙ୍କୁ ଜାମିନ ପ୍ରଦାନ କରିଥିଲା । କିନ୍ତୁ କିଛି ଘଂଟା ପରେ କଲିକତା ହାଇକୋର୍ଟ ଜାମିନ ଖାରଜ କରିଥିଲେ । ଏହା ପରେ ଚାରି ନେତାଙ୍କୁ କଲିକାତା ପ୍ରେସିଡେନ୍ସି ଜେଲରେ ରଖାଯାଇଥିଲା ।

Get real time updates directly on you device, subscribe now.