fbpx

ଅନଲାଇନରେ ମିଡ଼ିଆ ମହାକୁମ୍ଭର ପଂଚମ ସଂସ୍କରଣ

ଭୁବନେଶ୍ୱର: ପୂର୍ବ ଭାରତର ସବୁଠାରୁ ବଡ଼ ଏବଂ ଆର୍କଷଣୀୟ ମିଡ଼ିଆ ମହାକୁମ୍ଭର ପଂଚମ ସଂସ୍କରଣର ଇ-ଉଦ୍ଘାଟନ ପାଇଁ ଭର୍ଚୁଆଲ ମଂଚ ପ୍ରସ୍ତୁତ । ପୂର୍ବତନ ମୂଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୨ତମ ଜନ୍ମବାର୍ଷିକ ଉପଲକ୍ଷେ, ଆସନ୍ତାକାଲିଠାରୁ ଏହି ତିନି ଦିନିଆ ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀ ଅନ୍ଲାଇନ୍ରେ ଅନୁଷ୍ଟିତ ହେବାକୁ ଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ଚାରି ବର୍ଷ ଧରି ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନ ସ୍ଥାନୀୟ ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇ.ଏମ.ଏସ୍) ଦ୍ୱାରା ଏହି ମହାସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଆସୁଛି । କିନ୍ତୁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ କରୋନା କଟକଣାକୁ ଆଖି ଆଗରେ ରଖି ଏହି ସମ୍ମିଳନୀ ଭର୍ଚୁଆଲ ମଂଚରେ ଅନୁଷ୍ଠିତ ହେବ । ଏହାକୁ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ଉତ୍ସବରେ ଲୋକସଭା ସାଂସଦ ଏବଂ ପ୍ରଜାତନ୍ତ୍ରର ସମ୍ପାଦକ ଭର୍ତୃହରି ମହତାବ, ମିଡିଆ ଏଣ୍ଡ୍ ଏଣ୍ଟରଟେନ୍ମେଣ୍ଟ ସ୍କିଲ୍ କାଉନ୍ସିଲ୍ର ଅଧ୍ୟକ୍ଷ ତଥା ବିଶିଷ୍ଟ ସିନେ ନିର୍ଦ୍ଦେଶକ ସୁଭାଷ ଘାଇ, ଏମ.ଜି.ଏମ୍ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୁଧିର ଗାଭାନେ, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ସାଧାରଣ ସଂପାଦକ ପଙ୍କଜ ମିତଲ, ତେଜପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସୁନିଲ କାନ୍ତ ବେହେରା ପ୍ରମୁଖ ଅଂଶଗ୍ରହଣ କରିବେ ।

ଦେଶ ଓ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୮୦୦ ରୁ ଅଧିକ ଜ୍ଞାନୀ, ଗବେଷକ, ବିଦ୍ୟାର୍ଥୀ, ବୁଦ୍ଧିଜିବି ଏବଂ ରାଜ୍ୟର ବହୁ ସାମ୍ବାଦିକ ଓ ଗଣମାଧ୍ୟମ ଛାତ୍ରଛାତ୍ରୀ ଏହି ସମ୍ବିଳନୀରେ ଅଂଶଗ୍ରହଣ କରିବେ । ଏବର୍ଷ ସମ୍ମିଳନୀର ଶୀର୍ଷକ “ଗଣମାଧ୍ୟମ ଓ ଡିଜିଟାଲ ଟେକ୍ନୋଲୋଜି” ଥିବାବେଳେ, ଦ୍ୱିତିୟ ଦିନରେ ୧୦୦ରୁ ଉଦ୍ଧ୍ୱର୍ ବିଶେଷଜ୍ଞ ସେମାନଙ୍କର ଗବେଷଣାତ୍ମକ ସନ୍ଦର୍ଭ ୫ଟି ସମାନ୍ତରାଳ ବୈଷୟିକ କର୍ମଶାଳାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସମ୍ମିଳନୀର ଅଧ୍ୟକ୍ଷ ଏବଂ ଆଇ.ଏମ୍.ଏସ୍.ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ସୂଚନା ଦେଇଛନ୍ତି ।

ତୃତୀୟ ଦିନରେ ଉଦ୍ୟାପନୀ ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ,  ପ୍ରଖ୍ୟାତ ସାଂବାଦିକ ତଥା ପରୀର ସଂସ୍ଥାପକ ସଂପାଦକ ପି ସାଇନାଥ ଏବଂ ମଣିପାଲ ଇନିଷ୍ଟିଚ୍ୟୁଟ୍ ଅଫ୍ କମ୍ୟୁନିକେସନର ପ୍ରଫେସର ବି. ପି. ସଂଜୟ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ତିନିଦିନିଆ ସମ୍ମିଳନୀଟି ଫେସବୁକ୍ (inmc2021) ଏବଂ ୟୁଟ୍ୟୁବ୍ (imsodisha) ରେ ସିଧାପ୍ରସାରଣ ହେବ ।

 

Get real time updates directly on you device, subscribe now.