fbpx

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସସପେନ୍ସ ହଟିଲା! ଏନସିପି-ଶିବସେନା-ବିଜେପି, କାହା ପାଖରେ ରହିବ କେଉଁ ବିଭାଗ

Advertisement

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ଉପରେ ଏବେ ସାରା ଦେଶର ନଜର । ଅଜିତ ପାୱାରଙ୍କ ନେତୃତ୍ୱରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର କିଛି ବିଧାୟକ ଗତ ୨ ତାରିଖରେ ବିଜେପି-ଏକନାଥ ଶିନ୍ଦେଙ୍କ ମେଣ୍ଟରେ ସାମିଲ ହୋଇଥିଲେ । ଏହା ପରେ ଅଜିତ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

ଗତ କିଛିଦିନ ଧରି ମହାରାଷ୍ଟ୍ରର ନୂଆ କ୍ୟାବିନେଟକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ବିଜେପି, ଏକନାଥଙ୍କ ଶିବସେନା ଓ ଅଜିତଙ୍କ ଏନସିପି ମଧ୍ୟରେ ମନ୍ତ୍ରିମଣ୍ଡଳକୁ ନେଇ ସସପେନ୍ସ ଦେଖିବାକୁ ମିଳିଥିଲା । ଏବେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସସପେନ୍ସ ସମାପ୍ତ ହୋଇଯାଇଛି । ଏଣିକି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ବଦଳରେ ଅଜିତଙ୍କ ପାଖରେ ଅର୍ଥ ବିଭାଗ ଦାୟିତ୍ୱ ରହିବ ।

ଏନସିପି ନିକଟରେ ଯୋଜନା, ଖାଦ୍ୟ ଓ ସିଭିଲ ସପ୍ଲାଏ, ଆପୂର୍ତ୍ତି, ସହକାରୀ ସମିତି, ମହିଳା ଓ ଶିଶୁ ବିକାଶ, କୃଷି, ରିଲିଫ ଓ ଥଇଥାନ, ଚିକିତ୍ସା ଶିକ୍ଷା ମନ୍ତ୍ରଣାଳୟ ରହିବ । ନୂଆ ମନ୍ତ୍ରିମଣ୍ଡଳକୁ ନେଇ ଖୁବଶୀଘ୍ର ଘୋଷଣା କରାଯିବ । ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ଏହି ସୂଚୀ ମୁଖ୍ୟ ସଚିବଙ୍କ ନିକଟକୁ ପଠାଯିବ । ନିଜ ପାଖରେ ଅର୍ଥ ଓ ସହକାରିତା ମନ୍ତ୍ରଣାଳୟ ରଖିବାକୁ ଅଜିତ ବେଶ ଇଚ୍ଛୁକ ଥିଲେ ।

ସୂଚନାଯୋଗ୍ୟ ଯେ, ଏନସିପି ଦୁଇଭାଗ ହେବା ପରେ ଅଜିତଙ୍କ ବୈଠକରେ ୩୧ ଜଣ ବିଧାୟକ ଯୋଗଦେଇଥିବା ବେଳେ ଶରଦ ପାୱାରଙ୍କ ବୈଠକରେ ୧୩ ଜଣ ବିଧାୟକ ସାମିଲ ହୋଇଥିଲେ । ଦୁହେଁ ନିଜକୁ ଏନସିପିର ଅଧ୍ୟକ୍ଷ ଭାବେ ଘୋଷଣା କରି ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଥିଲେ ।

Get real time updates directly on you device, subscribe now.