ଲଗାତାର ପଞ୍ଚମ ଦିନ NDTVର ସେୟାର ଉପରମୁହାଁ, ପୁଣି ଥରେ ଛୁଇଁଲା ଅପର ସର୍କିଟ୍

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ ଦ୍ଵାରା ଅଧିଗ୍ରହଣର ଖବର ମଧ୍ୟରେ ଗୁରୁବାର ମଧ୍ୟ ଏନଡିଟିଭିର ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ରେ ବୁଧବାର ଏନଡିଟିଭିର ସେୟାର ଅପର ସର୍କିଟ୍ ସହିତ ୩୮୮.୨୦ରେ ବନ୍ଦ ହୋଇଥିଲା। ତେବେ ଆଜି ପୁଣି ଥରେ ୫ ପ୍ରତିଶତ ଅପର ସର୍କିଟ୍ ସହ ସଂସ୍ଥାର ସେୟାର ୪୦୭.୬୦ ଟଙ୍କାରେ ପହଞ୍ଚି ଯାଇଛି।

ଗତ ଏକ ବର୍ଷରେ ଏନଡିଟିଭିର ସେୟାର ୪୪୨ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତ ବର୍ଷ ଆରମ୍ଭରୁ ଏ ପର‌୍ୟ୍ୟନ୍ତ ଏହା ୨୫୪ ପ୍ରତିଶତ ଉପରକୁ ଉଠି ସାରିଛି। ଅଦାନୀ ଗ୍ରୁପ ଦ୍ଵାରା ଅଧିଗ୍ରହଣର ଖବର ସାମ୍ନାକୁ ଆସିବା ପରଠୁ କମ୍ପାନୀର ସେୟାରର ଚାହିଦା ବଢିବାରେ ଲାଗିଛି। ଗତ ପାଞ୍ଚ ବର୍ଷରେ କମ୍ପାନୀର ସେୟାର ୯୩୩ ପ୍ରତିଶତ ରିଟର୍ଣ୍ଣ ଦେଇ ସାରିଛି।

ସୂଚନାଯୋଗ୍ୟ, ଏନଡିଟିଭିର ସେୟାରରେ ବୁଧବାର ବଜାର ଖୋଲିବା ମାତ୍ରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଥିଲା। ଯାହା ଗୁରୁବାର ପର‌୍ୟ୍ୟନ୍ତ ଜାରି ରହିଛି। ମଙ୍ଗଳବାର ମଧ୍ୟ ସଂସ୍ଥାର ସେୟାର ଅପର ସର୍କିଟରେ ପହଞ୍ଚିଥିଲା ଏବଂ ପାଞ୍ଚ ପ୍ରତିଶତ ବୃଦ୍ଧି ଘଟି ୩୬୬.୨୦ ଟଙ୍କାରେ ବନ୍ଦ ହୋଇଥିଲା। ଏହିପରି ଗତ ପାଞ୍ଚ ଦିନ ହେବ ଏନଡିଟିଭିର ସେୟାରରେ ବୃଦ୍ଧି ଘଟି ଚାଲିଛି।

ଅଦାନୀ ଗ୍ରୁପ ନିକଟରେ ନିଜର ମିଡିଆ କମ୍ପାନୀ ଏଏମଜି ମିଡିଆ ନେଟଓ୍ଵର୍କ ତିଆରି କରିଛି। ଏନଡିଟିଭି ସେୟାରର ଅଧିଗ୍ରହଣ ଏହି ଏଏମଜି ମିଡିଆ ନେଟଓ୍ଵର୍କର ସବସିଡିଆରି ବିଶ୍ଵପ୍ରଧାନ କମର୍ସିଆଲ ପ୍ରାଇଭେଟ୍ ଲିମିଟେଡ୍ କରିବାକୁ ଯାଉଛି। ଏହି କମ୍ପାନୀ ୧୨ ବର୍ଷ ପୂର୍ବେ ଏନଡିଟିଭିର ଏକ ପ୍ରୋମଟର କମ୍ପାନୀ ଆରଆରପିଆର ହୋର୍ଲ୍ଡିଂ ପ୍ରାଇଭେଟ୍ ଲିମିଟେଡକୁ ଋଣ ଦେଇଥିଲା। ଯାହା ବଦଳରେ ଅଦାନୀ ଗ୍ରୁପ ସେୟାର ଅଧିଗ୍ରହଣ କରୁଛି।

ଏନଡିଟିଭି ଦ୍ୱାରା ଏନଡିଟିଭି ୨୪.୭, ଏନଡିଟିଭି ଇଣ୍ଡିଆ, ଏନଟି ଟିଭି ପ୍ରଫିଟ ନାମରେ ୩ଟି ଜାତୀୟ ନ୍ୟୁଜ୍ ଚାନେଲ ପରିଚାଳିତ ହେଉଛି । ୨୦୨୨ ଆର୍ଥିକ ବର୍ଷରେ କମ୍ପାନୀ ୪୨୧ କୋଟି ଟଙ୍କାର ରାଜସ୍ୱ ରେକର୍ଡ କରିଛି । ଆର୍ଥିକ ବର୍ଷରେ କମ୍ପାନୀର ନେଟ୍ ପ୍ରଫିଟ ୮୫ କୋଟି ରହିଛି ।