fbpx

ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେଲେ ମହାପ୍ରଭୁ: ୯ରେ ନେତ୍ରୋତ୍ସବ ଓ ୧୦ରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ପୁରୀ, (ଓଡ଼ିଶା ଭାସ୍କର): ସ୍ନାନ ପୂର୍ଣ୍ଣିମାରେ ଜଳ ଲାଗି ହୋଇ ଅଣସର ଘରେ ଜ୍ୱରରେ ପୀଡ଼ିତ ହୋଇଥିବା ବିଗ୍ରହମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ଦଶ ମୂଳ ମୋଦକ ଔଷଧ ଲାଗି ପରେ ଶ୍ରୀବିଗ୍ରହମାନେ ସୁସ୍ଥ ହୋଇଛନ୍ତି। ସୋମବାର ଏକାଦଶୀ ତିଥି ଅବସରରେ ବିଗ୍ରହ ମାନଙ୍କର ଖଳି ଲାଗି ନୀତି ଅନୁଷ୍ଠିତ ହୋଇଛି । ମଙ୍ଗଳବାର ଅଣସର ଦ୍ୱାଦଶୀରେ ରାଜପ୍ରସାଦ ବିଜେ ନୀତି ସମ୍ପାଦିତ ହୋଇଛି । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦେଇଛନ୍ତି ଦଇତାପତି ସେବକମାନେ । ଶୃଙ୍ଖଳାର ସହ ରଥଯାତ୍ରା ଆୟୋଜନ ନେଇ ଦଇତାପତିଙ୍କ ସହ ଗଜପତି ଆଲୋଚନା କରିଛନ୍ତି ।

ସେପଟେ ରଥ ନିର୍ମାଣର ଶେଷ ଅଂଶ ପ୍ରସ୍ତୁତି ଚାଲିଛି । ଅଣସରର ଦ୍ୱାଦଶୀ ତିଥି ଅବସରରେ ଶ୍ରୀଜିଉ ମାନଙ୍କ ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ ସକାଳ ଧୂସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ ହୋଇଥିଲା । ସୋମବାର ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତବସ୍ତ୍ର ଲାଗି କରାଯାଇଥିବା ବେଳେ ଶ୍ରୀଜିଉଙ୍କୁ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା । ମହାପ୍ରଭୁ ଆରୋଗ୍ୟ ଲାଭ କରିଥିବା ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ ଦଇତାପତି ଓ ବିଦ୍ୟାପତିମାନେ ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟଡୋର, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିଥିଲେ । ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଖବର ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ପ୍ରଦାନ କରିଛନ୍ତି ।

ମହାପ୍ରଭୁ ସୁସ୍ଥ ହେବା ପରେ ନିଜ ଭାଇ,ଭଉଣୀଙ୍କୁ ଧରି ନବଦିନାତ୍ମକ ଘୋଷଯାତ୍ରାରେ ଜନ୍ମବେଦୀ ଗୁଣ୍ଡିଚାମନ୍ଦିରକୁ ଯାତ୍ରା କରିବେ ବୋଲି ଦଇତାପତି ଜଣାଇବା ପରେ ଗଜପତି ସେମାନଙ୍କ ସହ ସୁରୁଖୁରୁରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ନେଇ ଆଲୋଚନା କରିଛନ୍ତି । ପବିତ୍ର ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇଥିବା ରଥନିର୍ମାଣ କାର୍ଯ୍ୟ ସରି ସରି ଆସୁଛି । ରଥଯାତ୍ରା ଆଉ ମାତ୍ର ୫ଦିନ ବାକି ଥିବା ବେଳେ ରଥ ନିର୍ମାଣର ଅନ୍ତିମ ସ୍ପର୍ଶ ଦେଉଛନ୍ତି ବିଶ୍ୱକର୍ମା ମହାରଣା ।

ଗତକାଲି ତିନି ରଥରେ କଳସ ଓ ଓଲଟ ଶୁଆ ସହ ସମସ୍ତ ପର୍ଶ୍ୱଦେବାଦେବୀ, ସଖୀ ମଧ୍ୟ ଲାଗି ସାରିଛି । ତିନି ରଥରେ ଲାଗିବାକୁ ଥିବା ୧୨ ଟି ଅଶ୍ୱ ଓ ୩ଟି ସାରଥୀ ଆବଶ୍ୟକ ମରାମତି ପରେ ରଙ୍ଗ କରାଯାଇଛି । ରଥର ଚକ ଓ ଉପରିଭାଗର ଅଂଶକୁ ସୌନ୍ଦର୍ଯ୍ୟକରଣ ପାଇଁ ଚିତ୍ରକାର ସେବକଙ୍କ ଦ୍ୱାରା ରଙ୍ଗ କରାଯାଇଛି । ରଥ ତଦାରଖ କମିଟି ରଥ ନିର୍ମାଣ ଯାଞ୍ଚ କରିଛନ୍ତି । ରଥ ବ୍ରେକ ମଧ୍ୟ ପ୍ରସ୍ତୁତ ହୋଇଛି । ନେତ୍ରଉତ୍ସବ ଦିନ ଦରଜୀ ସେବକଙ୍କ ଦ୍ୱାରା ସିଲେଇ ହୋଇଥିବା ରଥକନା ମଣ୍ଡଣୀ କରାଯିବ ।

ଆସନ୍ତା ୯ ତାରିଖରେ ନେତ୍ରୋତ୍ସବ । ୧୦ତାରିଖରେ ପ୍ରଭୁଙ୍କ ନବଯୌବନ ଦର୍ଶନ । ବିନା ଭକ୍ତରେ ପ୍ରଭୁଙ୍କ ନବଯୌବନ ଦର୍ଶନ ହେବ । ୧୧ ତାରିଖ ଦିନ ଆଜ୍ଞାମାଳ ବିଜେ କରିବା ପରେ ରଥଖଳାରୁ ତିନିରଥକୁ ଶ୍ରୀମନ୍ଦିର ସିଂହଦ୍ୱାରକୁ ଟାଣି ନିଆଯାଇ ନିର୍ଦ୍ଧାରିତ ସ୍ଥାନରେ ରଖାଯିବ ।

Get real time updates directly on you device, subscribe now.