fbpx

କେବେ ବି ଥମିବନି କରୋନା! JN.1 ପରେ ଆସିବ ଆହୁରି ଖତରନାକ କୋଭିଡ ଭାଇରସ୍…

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ କରୋନା ମହାମାରୀ ପୁଣି ଏକ ବଡ଼ ଚିନ୍ତା ହୋଇ ଠିଆ ହୋଇଛି । ଭାରତର ବିଭିନ୍ନ ରାଜ୍ୟରୁ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ଶହ ଶହ ଲୋକଙ୍କୁ ସଂକ୍ରମଣ କରିସାରିଛି କରୋନାର ନୂଆ ଭାରିଆଣ୍ଟ ଜେଏନ.୧ । ତେଣୁ ଏହାକୁ ନେଇ ଭୟ ବଢୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଲୋକଙ୍କୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଆସିବା ସହିତ ଟୀକାର ପ୍ରଭାବ ହ୍ରାସ ପାଇଥାଏ, ଯାହା ଫଳରେ ଭାଇରସ ଲୋକଙ୍କ ପାଇଁ ଘାତକ ପାଲଟିଯାଏ । ତେବେ ବର୍ତ୍ତମାନ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ, କ’ଣ ଆଗାମୀ ଦିନରେ କରୋନା ଶେଷ ହେବ? ଏ ନେଇ ଡାକ୍ତରମାନେ ନିଜର ଉତ୍ତର ରଖିଛନ୍ତି…

ଦିଲ୍ଲୀ ମେଡିକାଲ ଆସୋସିଏସନର ପୂର୍ବତନ ସଭାପତି ଏବଂ ସିନିୟର ଫିଜିସିଆନ୍ ଡା. ଅନିଲ ବଂଶଲ କହିଛନ୍ତି ଯେ, କରୋନା ଭୂତାଣୁ ଲଗାତାର ମ୍ୟୁଟେଣ୍ଟ କରୁଥିବାରୁ ନୂଆ ନୂଆ ଭାଇରସ ଚିହ୍ନଟ ହେଉଛି । ତେଣୁ ଲୋକଙ୍କୁ ଏଥିପାଇଁ ସତର୍କ ରହିବା ଆବଶ୍ୟକ । ଶରୀରରେ କୌଣସି ରୋଗ ବିପକ୍ଷରେ ପ୍ରତିରୋଧକ ସୃଷ୍ଟି ହୋଇଗଲେ ଭାଇରସ ନିଜର ରୂପ ପରିବର୍ତ୍ତନ କରିଥାଏ ଏବଂ ଆଉଏକ ନୂଆ ଭାରିଆଣ୍ଟ ସୃଷ୍ଟି ହୋଇଥାଏ । ତେଣୁ କରୋନା ଭାଇରସ ସମ୍ପୂର୍ଣ୍ଣ ଭାବରେ ଶେଷ ହେବା ସମ୍ଭବ ନୁହେଁ । ଏହା ଡେଙ୍ଗୁ ଏବଂ ଅନ୍ୟ ଫ୍ଲୁ ଭଳି ବର୍ଷ ବର୍ଷ ପର୍ଯ୍ୟନ୍ତ ଲାଗି ରହିବ । ତେଣୁ ଏଥିରୁ ସତର୍କ ରହିବା ହିଁ ଉଚିତ୍ ।

ସେହିପରି ସାର୍ ଗଙ୍ଗାରାମହସ୍ପିଟାଲର ପ୍ରିଭେଣ୍ଟିଭ ହେଲ୍ଥ ଆଣ୍ଡ ୱେଲନେସ ଡିପାର୍ଟମେଣ୍ଟର ନିର୍ଦ୍ଦେଶକ ଡା. ସୋନିଆ ରାୱତ କହିଛନ୍ତି ଯେ, କରୋନା ଭାଇରସ ସବୁ ଦିନ ପାଇଁ ଶେଷ ହୋଇପାରିବ ନାହିଁ । ତେବେ ଧିରେ ଧିରେ ଏହା କମ୍ ହୋଇପାରେ । ଏହା ବର୍ଷ ବର୍ଷ ପଯ୍ୟନ୍ତ ମ୍ୟୁଟେଣ୍ଟ ହେବା ସହିତ ଏହାର ପ୍ରଭାବ ମଧ୍ୟ ହ୍ରାସ ପାଇବ । ତେଣୁ ବର୍ତ୍ତମାନ ଫ୍ଲ୍ୟୁ ପାଇଁ ଟୀକା ନେବା ଭଳି ଲୋକମାନେ କରୋନା ଟୀକା ନେଇ ପାରନ୍ତି । ଭବିଷ୍ୟତରେ ଏହାର ମହାମାରୀ କମ୍ ହେବ ବୋଲି ଆଶା କରାଯାଉଛି ।

ଗ୍ରେଟର ନୋଏଡାର ଫୋର୍ଟିସ୍ ହସ୍ପିଟାଲର ଆଭ୍ୟନ୍ତରୀଣ ଚିକିତ୍ସା ବିଭାଗର ନିର୍ଦ୍ଦେଶକ ଡା. ଦୀନେଶ କୁମାର ତ୍ୟାଗୀ କହିଛନ୍ତି ଯେ, କରୋନା ଜୀବାଣୁ ପରିବର୍ତ୍ତନ ହୋଇ ଚାଲିଛନ୍ତି ଏବଂ ଏଥିରୁ ଅନେକ ପ୍ରକାର ଭାରିଆଣ୍ଟ ମଧ୍ୟ ସୃଷ୍ଟି ହୋଇଛି। କିଛି ଲୋକଙ୍କ ପାଇଁ ଏହା ବିପଜ୍ଜନକ ହୋଇଥାଏ, ତେଣୁ ଏହାକୁ ଭାରିଆଣ୍ଟ ଅଫ୍ କନ୍ସର୍ଣ୍ଣ କୁହାଯାଏ । ସେହିପରି କିଛି ଲୋକଙ୍କ ଉପରେ ଏହା ବିଶେଷ ପ୍ରଭାବ ପକାଏ ନାହିଁ, ତେଣୁ ଏଥିପାଇଁକୌଣସି ଚିନ୍ତାର କାରଣ ନାହିଁ ବୋଲି ଡାକ୍ତର କହିଛନ୍ତି ।

ତେବେ ଡାକ୍ତରଙ୍କ କହିବା ଅନୁସାରେ, ଆଗାମୀ ବର୍ଷରେ କରୋନାର ଅନେକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇପାରେ । ଏଥିମଧ୍ୟରୁ କିଛି ଭାରିଆଣ୍ଟ ବିପଜ୍ଜନକ ମଧ୍ୟ ହୋଇପାରେ। କରୋନାର ଏହି ନୂଆ ଭାରିଆଣ୍ଟ କେତେ ବିପଜ୍ଜନକ ହେବ ଏବଂ ଏହା ଲୋକଙ୍କ ଉପରେ କେତେ ପ୍ରଭାବ ପକାଇବ ବର୍ତ୍ତମାନ ତାହା କହିବା କଷ୍ଟକର ।

Get real time updates directly on you device, subscribe now.