ନୂଆଦିଲ୍ଲୀ: ଦିଲ୍ଲୀରେ ଓଡ଼ିଆ ଯୁବତୀ ଗଣଦୁଷ୍କର୍ମ ମାମଲାର ସବୁ ତଥ୍ୟା ଏବେ ସାମ୍ନାକୁ ଆସିଛି । ବିନା ତଥ୍ୟରେ ଏହା ଏକ ବ୍ଲାଇଣ୍ଡ କେସ୍ ଭଳି ଥିଲା । ଦିଲ୍ଲୀ ପୋଲିସ ପାଇଁ ୨୧ ଦିନର ତଦନ୍ତ ଥିଲା ବଡ଼ ଚ୍ୟାଲେଞ୍ଜ । ୭୦୦ ସିସିଟିଭି ଅଣ୍ଡାଳିବା ସହ ୧୫୦ ଅଟୋକୁ କରିଥିଲା ମାରାଥନ ଯାଞ୍ଚ । ଅଭିଯୁକ୍ତଙ୍କ ନାଁ ତ ଦୂରର କଥା, ଅପରାଧ ବିଷୟରେ କିଛି ବି ଜଣା ନଥିଲା ଯୁବତୀଙ୍କୁ । ସରାଇକାଲେ ଖାନ୍ ଅଞ୍ଚଳରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିଲେ ପୀଡ଼ିତା । ସ୍ପଷ୍ଟ ଭାବେ କିଛି ବି କହି ପାରିନଥିଲେ ଉଦ୍ଧାର ହୋଇଥିବା ପୀଡ଼ିତା ।
କେବଳ ନିଜର ୩ଟି ଆଙ୍ଗୁଠି ଦେଖାଇବା ସହ ଷ୍ଟେସନ ଶବ୍ଦ ଉଚ୍ଚାରଣ କରିପାରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ ଓ ଅଟୋ ଥିବା କହିଥିଲେ । ବାସ୍ ଏତିକି ସୂଚନା ଆଧାରରେ ଦିଲ୍ଲୀ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଆଖପାଖ ଅଞ୍ଚଳର ୭୦୦ ସିସିଟିଭି ଅଣ୍ଡାଳି ସୁରାକ ଖୋଜିଥିଲା । ଏଥିସହ ୧୫୦ ଅଟୋ ଯାଞ୍ଚ କରିଥିଲା ଦିଲ୍ଲୀ ପୋଲିସ । ଶେଷରେ ମିଳିଥିଲା ସଫଳତା । ଗିରଫ ହେଲେ ଅଭିଯୁକ୍ତ । ସରାୟକାଲେରୁ ୧୦ କିମି ପରିଧି ଭିତରେ ଥିବା ସବୁ ସିସିଟିଭି ଯାଞ୍ଚ କରିବା ସହ ଘଟଣାରେ ପ୍ରାଥମିକ ସନ୍ଦିଗ୍ଧ ବସ୍ତୁ ଭାବେ ଅଟୋକୁ ନେଇଥିଲା ।
ଏହି ସବୁ କ୍ୟାମେରା ଭିତରେ ଦେଖାଦେଇଥିବା ସବୁ ଅଟୋ ଭିତରୁ ୧୫୦ ଅଟୋର ଗତିବିଧି ଉପରେ ପୋଲିସର ସନ୍ଦେହ ହୋଇଥିଲା ଓ ସେହିସବୁ ଅଟୋର ସବିଶେଷ ବିବରଣୀ ବାହାର କରିବା ପରେ ପ୍ରତି ଚାଳକର ଘରେ ପହଞ୍ଚିଥିଲା ଦିଲ୍ଲୀ ପୋଲିସ। ପୋଲିସ ପ୍ରଥମେ ଅଭିଯୁକ୍ତ ଅଟୋ ଚାଳକକୁ ଧରିବାରେ ସକ୍ଷମ ହୋଇଥିଲା । ତାକୁ ଜେରା କରିବା ସମୟରେ ସେ ସବୁ କଥା ମାନିଥିଲା । ତାରି ତଥ୍ୟ ଆଧାରରେ ପୋଲିସ ଅନ୍ୟ ୨ ଜଣଙ୍କୁ ଗିରଫ କରିଥିଲା ।