fbpx

ନୂଆ GST ନିୟମର ଭୟଙ୍କର ପ୍ରଭାବ: ବନ୍ଦ ହୋଇଯିବ ରାଜ୍ୟର ୧୫ ହଜାର ଅଟା ଚକି ଓ ଚାଉଳ କଳ, କ୍ଷତିଗ୍ରସ୍ତ ହେବେ ଏକ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୮ ତାରିଖଠାରୁ ଦେଶର ଖାଇବା ସାମଗ୍ରୀ ଉପରେ ନୂଆ ଦ୍ରବ୍ୟ ସେବା ଟିକସ (ଜିଏସଟି) ଲାଗୁ ହୋଇଛି । ଏହାଫଳରେ ପ୍ୟାକିଂ ହୋଇଥିବା ଡାଲି, ଅଟା ଓ ଚାଉଳ ପରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଏହି ଜିଏସଟି ଲାଗିବ । ତେବେ ଏନେଇ ଘରୋଇ ଭାବେ ଗଢ଼ି ଉଠିଥିବା ହଜାର ହଜାର ସଂଖ୍ୟାରେ ଲଘୁ ଉଦ୍ୟୋଗ ଉପରେ ଏବେ ଚଡ଼କ ପଡ଼ିଛି । ଜିଏସଟି ଲାଗିବା ପରେ ସେମାନେ ଗ୍ରାହକଙ୍କ ପାଖରେ ନିଜର ସାମଗ୍ରୀ ପହଞ୍ଚାଇ ପାରିବେ ନାହିଁ ।

ଏଭଳି ସ୍ଥିତିରେ ଡାଲିଠାରୁ ଆରମ୍ଭ କରି ଚାଉଳ ପର୍ଯ୍ୟନ୍ତ ପ୍ରସ୍ତୁତ କରୁଥିବା ହଜାର ହଜାର ସଂଖ୍ୟାରେ ଛୋଟ ଛୋଟ ସ୍ଥାନୀୟ ଉଦ୍ୟୋଗୀ ଆଗାମୀ ଦିନରେ ସ୍ଥାଣୁ ପାଲଟିଯିବେ । ବଡ଼ ବଡ଼ କମ୍ପାନୀମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ନପାରି ସେମାନେ ନିଜ ନିଜର ସଂସ୍ଥାକୁ ବନ୍ଦ କରିବାକୁ ବାଧ୍ୟ ହେବେ । ଯଦି ଏଭଳି ହୁଏ, ତେବେ ରାଜ୍ୟରେ ଖୁବଶୀଘ୍ର ୧୫ ହଜାରରୁ ଅଧିକ ଅଟା ଚକି, ଚାଉଳ କଳ ବନ୍ଦ ହୋଇଯିବାର ଆଶଙ୍କା ରହିଛି ।

ତେବେ ଜିଏସଟି ଲାଗୁ ହେବା ଫଳରେ ରାଜ୍ୟର ୧୦ ହଜାର ପରିବାର ପ୍ରଭାବିତ ହୋଇଛନ୍ତି । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । ରାଜ୍ୟର ଅତିକମରେ ଲକ୍ଷେ କ୍ଷୁଦ୍ର ବ୍ୟବସାୟୀ କ୍ଷତିଗ୍ରସ୍ତ ହେବେ । ପୂର୍ବରୁ ସ୍ଥାନୀୟ ନିର୍ମାତାମାନେ ଡାଲି, ଅଟା ଓ ଚାଉଳକୁ ପ୍ୟାକିଂ କରି ବଜାରକୁ ଛାଡ଼ୁଥିଲେ । ମାତ୍ର ସରକାର ଏବେ ନୀତି ପରିବର୍ତ୍ତନ କରିବା ଫଳରେ ଉଭୟ ଖାଉଟି ଓ ଲଘୁ ଉଦ୍ୟୋଗ ସମସ୍ୟାରେ ପଡ଼ିଛନ୍ତି । ସରକାର ବଡ଼ ବଡ଼ କର୍ପୋରେଟ୍ ହାଉସର ସ୍ୱାର୍ଥକୁ ଦେଖି ନିୟମ ଲାଗୁ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ।

Get real time updates directly on you device, subscribe now.