fbpx

ICCର ନୂଆ ଟିମ୍ ଘୋଷଣା: ଗାଙ୍ଗୁଲି- ଜୟଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତା’ର ନୂଆ ଟିମ ଘୋଷଣା କରିଛି । ଏହି ଟିମରେ କିଛି ଭାରତୀୟଙ୍କୁ ଗୁରୁଦାୟିତ୍ୱ ମିଳିଛି । ମୋଟାମୋଟି ଭାବେ ଆଇସିସିରେ ପୁଣି ଥରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦବଦବା ଜାରି ରହିଛି । ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେଙ୍କୁ ପୁନର୍ବାର ଆଇସିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ ।

ଜିମ୍ବାୱେର ତାମ୍ବେଗ୍ୱା ମୁକୁହଲାନୀଙ୍କ ନାମ ପ୍ରତ୍ୟାହାର କରିନିଆଯିବା ପରେ ବାର୍କଲେଙ୍କୁ ବିନା ବାଧାରେ ଚେୟାରମ୍ୟାନ ଭାବେ ବଛା ଯାଇଥିଲା । ଆଇସିସିର ବୋର୍ଡ ଏନେଇ ନିଜର ସମ୍ମତି ପ୍ରକାଶ କରିଥିଲା । ତେବେ ପୁନର୍ବାର ଆଇସିସିର ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇବା ସମ୍ମାନର କଥା । ତେଣୁ ଏଥିପାଇଁ ଆଇସିସିର ନିର୍ଦ୍ଦେଶକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବାର୍କଲେ । ସେ ୨୦୨୦ ନଭେମ୍ବରରେ ଆଇସିସିର ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଥିଲେ । ଏହା ପୂର୍ବରୁ ସେ ନ୍ୟୁଜିଲାଣ୍ଡ କ୍ରିକେଟର ଚେୟାରମ୍ୟାନ ଥିଲେ । ସେ ୨୦୧୫ରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପର ନିର୍ଦ୍ଦେଶକ ଥିଲେ ।

ଆଇଆଇସିର ନୂଆ ଟିମରେ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ବର୍ତ୍ତମାନ ବିସିସିଆଇର ସମ୍ପାଦକ ଥିବା ଜୟ ଶାହଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ଜୟଙ୍କୁ ଆଇସିସିର ଆର୍ଥିକ ଓ କମର୍ସିଆଲ ମାମଲାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଆଇସିସିର ସମସ୍ତ ଆର୍ଥିକ ନିଷ୍ପତ୍ତି ଏହି କମିଟି ଉପରେ ନ୍ୟସ୍ତ ଥାଏ । ଏହି କମିଟିର ଅଧ୍ୟକ୍ଷଙ୍କ ପାୱାର ଆଇସିସି ଅଧ୍ୟକ୍ଷଙ୍କ ପାୱାର ସହିତ ସମାନ ବୋଲି କୁହାଯାଇଥାଏ । ଏହି କମିଟି ଆଇସିସିର ସମସ୍ତ ରାଜସ୍ୱ ଶେୟାର, ସ୍ପନସର ଓ ଅନ୍ୟ ଡିଲ ସ୍ଥିର କରିଥାଏ । ସେହିପରି ଗାଙ୍ଗୁଲି ଆଇସିସିର କ୍ରିକେଟ କମିଟିର ଅଧ୍ୟକ୍ଷ ପଦରେ ରହିବେ । ଗତ ବର୍ଷ ମଧ୍ୟ ସେ ଏହି ପଦରେ ନିଯୁକ୍ତି ପାଇଥିଲେ ।

Get real time updates directly on you device, subscribe now.