fbpx

‘ପ୍ରିୟଙ୍କାଙ୍କୁ ମାରିଦେଲା ବିବେକାନନ୍ଦ ହସ୍ପିଟାଲ୍’, ମାତ୍ର ଗୋଟିଏ ଇଞ୍ଜେକ୍ସନ୍ ପାଲଟିଗଲା ବିଷ!

ଭୁବନେଶ୍ୱର(ଓଡ଼ିଶା ଖବର): ଆମ ପ୍ରିୟଙ୍କାକୁ ମାରିଦେଲା ବିବେକାନନ୍ଦ ହସ୍ପିଟାଲ୍ । କିଛି ନଥିଲା, ସାଧାରଣ ବେକ ଯନ୍ତ୍ରଣା ହେବାରୁ ନେଇ ଯାଇଥିଲେ ଡାକ୍ତରଙ୍କ ପାଖକୁ । ହେଲେ ଗୋଟିଏ ଇଞ୍ଜେକ୍ସନ୍ କଣ ଦେଲେ କେଜାଣି ହଠାତ୍ ଆଖିବୁଜି ଦେଲେ ପ୍ରିୟଙ୍କା । ଏଭଳି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ । ଆଉ ରାଜଧାନୀର ଫାୟାର୍ ଷ୍ଟେସନ୍ ନିକଟରେ ଥିବା ବେସରକାରୀ ବିବେକାନନ୍ଦ ହସ୍ପିଟାଲ୍ ନାଁରେ ହୋଇଛି ବଡ଼ ଅଭିଯୋଗ । ଏନେଇ ଖଣ୍ଡଗିରି ପୋଲିସ୍ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି ପ୍ରିୟଙ୍କା ବାପଘର ଲୋକେ ।

ଅଭିଯୋଗ ଅନୁସାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଟିକିଏ ଅସାବଧାନତା ପାଇଁ ଚାଲିଗଲା ଜୀବନ । ବିବେକନନ୍ଦ ହସ୍ପିଟାଲରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବରମୁଣ୍ଡା ଅଞ୍ଚଳର ଚିକୁଙ୍କ ସ୍ତ୍ରୀ ପ୍ରିୟଙ୍କା ଓରଫ୍ ରିଙ୍କିଙ୍କ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୪ଟାରେ ବେକରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ତୁରନ୍ତ ଫାୟାର ଷ୍ଟେସନ ସ୍ଥିତ ବିବେକନନ୍ଦ ହସ୍ପିଟାଲକୁ ନିଆଯାଇଥିଲା । ହସ୍ପିଟାଲ ଗେଟ୍ ପାଖରୁ ପ୍ରିୟଙ୍କା ଚାଲି ଚାଲି ଭିତରକୁ ଯାଇଥିଲେ । ସେଠାରେ ତାଙ୍କୁ ଯନ୍ତ୍ରଣା କମିବା ପାଇଁ ଇଞ୍ଜେକସନ୍ ଦିଆଯାଇଥିଲା । ତେବେ ଇଞ୍ଜେକସନ ଦେବାର ୫-୧୦ ମିନିଟ ପରେ ହିଁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ପ୍ରିୟଙ୍କା । ଆଉ ତାପରେ ପରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହାକୁ ନେଇ ହସ୍ପିଟାଲ ପରିସରରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନା ଅନୁସାରେ ଭୁବନେଶ୍ୱର ଉପଖଣ୍ଡ ମେଣ୍ଢାଶାଳରେ ପ୍ରିୟଙ୍କାଙ୍କ ବାପଘର । ବରମୁଣ୍ଡାରେ ଶାଶୂଘର । ଦାଦା-କାକା ସମ୍ପର୍କୀୟ ହିସାବକୁ ନେଲେ ୨୫ ଭାଇଙ୍କ ଭିତରେ ଅଲିଅଳୀ ଗୋଟିଏ ଭଉଣୀ ଥିଲେ ପ୍ରିୟଙ୍କା । ଚିକୁଙ୍କ ସହ ତାଙ୍କର ୧୨ବର୍ଷର ପ୍ରେମ ସମ୍ପର୍କ ପରେ ତାହା ପାରିବାରିକ ସ୍ୱୀକୃତି ନେଇ ବିବାହର ରୂପ ନେଇଥିଲା । କିନ୍ତୁ ସମ୍ପର୍କ ତିଷ୍ଠି ପାରିଲାନି ସମ୍ପର୍କ… ମାତ୍ର ୧୨ଦିନରେ ଛିଡ଼ିଗଲା ସାତଜନ୍ମ ପାଇଁ ସଂକଳ୍ପ ନେଇଥିବା ସମ୍ପର୍କର ଡୋରି ।

ଅନ୍ୟପକ୍ଷରେ ପ୍ରିୟଙ୍କାଙ୍କୁ ହଠାତ୍ ମୃତ ବୋଲି ପରିବାର ଲୋକେ କେହି ବିଶ୍ୱାସ ହିଁ କରିପାରୁନାହାନ୍ତି! ଶୁକ୍ରବାର ରାତି ୧୧ଟା ବେଳକୁ ବାପା-ମା’ଙ୍କ ସହ ଭଲରେ କଥା ହେଉଥିବା ପ୍ରିୟଙ୍କା ସକାଳ ୫ଟା ବେଳକୁ ଆଉ ନାହାନ୍ତି… ଏଭଳି ଘଟଣାକୁ କିଏ ବା ସହଜରେ ବିଶ୍ୱାସ କରିବ? ଭଲ ଥିଲା- କିନ୍ତୁ ଏଇ ହସ୍ପିଟାଲ ହିଁ ତାକୁ ମାରିଦେଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ପୋଲିସ୍ ଏନେଇ ଅଧିକ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.