fbpx

ଟି-୨୦ ବିଶ୍ଵ କପରେ ଭାରତର ପ୍ଲେଇଙ୍ଗ XIକୁ ନେଇ ସଚିନଙ୍କ ଉପଦେଶ, କ’ଣ ପନ୍ତଙ୍କୁ ମିଳିବ ସ୍ଥାନ ?

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵ କପ୍ ୨୦୨୨ ଆରମ୍ଭ ହୋଇ ସାରିଛି। ଭାରତୀୟ ଦଳ ଅକ୍ଟୋବର ୨୩ରେ ନିଜର ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ବିପକ୍ଷରେ ଖେଳିବ। ବିଶ୍ଵ କପରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ କିପରି ରହିବ, ଏହା ଉପରେ ଲଗାତାର ଚର୍ଚ୍ଚା ଜାରି ରହିଛି। ଏହି କ୍ରମରେ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର ଭାରତୀୟ ଦଳର ଚୂଡାନ୍ତ ଏକାଦଶକୁ ନେଇ ଉପଦେଶ ଦେଇଛନ୍ତି। ସେ କହିଛନ୍ତି, ଦଳ କମ୍ବିନେସନରେ ବାମହାତୀ ବ୍ୟାଟସମ୍ୟାନଙ୍କ ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ରହିଥାଏ। ବର୍ତ୍ତମାନ ସମୟରେ ଭାରତୀୟ ଦଳ ନିକଟରେ ବାମହାତୀ ବ୍ୟାଟସମ୍ୟାନଙ୍କ ସଂଖ୍ୟା କମ।

ସଚିନ କହିଛନ୍ତି, ବାମହାତୀ ବ୍ୟାଟସମ୍ୟାନ ବାସ୍ତବରେ ଦଳର ରଣନୀତି ପାଇଁ ବେଶ ସହାୟକ ହୋଇଥାନ୍ତି। ବୋଲର ଏବଂ ଫିଲ୍ଡରଙ୍କୁ ବାମହାତୀ-ଡାହାଣହାତୀ କମ୍ବିନେସନ ବିରୋଧରେ ଫିଲ୍ଡିଂ ସଜାଇବା ଏବଂ ବୋଲିଂ କରିବାରେ ମୁସ୍କିଲ ହୋଇଥାଏ। ଯଦି ଏହି ଯୋଡି ଲଗାତାର ଷ୍ଟ୍ରାଇକ ବଦଳାନ୍ତି ତେବେ ଏହା ବିରୋଧୀ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ।

ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳରେ ଉପର ଅର୍ଡର ବ୍ୟାଟସମ୍ୟାନଙ୍କ ମଧ୍ୟରେ ଋଷଭ ପନ୍ତ ହିଁ ଏକମାତ୍ର ବାମହାତୀ ବ୍ୟାଟସମ୍ୟାନ। ଅକ୍ଷର ପଟେଲ୍ ବି ବାମହାତୀ ବ୍ୟାଟସମ୍ୟାନ। ମାତ୍ର ସେ ନିମ୍ନ ଅର୍ଡରରେ ବ୍ୟାଟିଂ କରିଥାନ୍ତି। ଟି-୨୦ ବିଶ୍ଵ କପ ପାଇଁ ଭାରତୀୟ ଦଳର ଯୋଜନାରେ ରବୀନ୍ଦ୍ର ଜାଡେଜାଙ୍କ ବହୁତ ବଡ ଭୂମିକା ଥିଲା। ମାତ୍ର ଆହତ କାରଣରୁ ଜାଡେଜା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡି ସାରିଛନ୍ତି।

ଚଳିତ ବର୍ଷ ଜୁନଠୁ ଏ ପର୍ଯ୍ୟନ୍ତ ପନ୍ତଙ୍କୁ ୧୫ଟି ଅନ୍ତର୍ଜାତୀୟ ଟି-୨୦ ମୁକାବିଲା ଖେଳିବାର ସୁଯୋଗ ମିଳିଛି। ଏହି ସମୟରେ ସେ ମାତ୍ର ୨୩ ହାରରେ ରନ କରିଛନ୍ତି। ଏଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ରହିଛି ୪୪। ଦିନେଶ କାର୍ତ୍ତିକଙ୍କ ଦଳରେ ପ୍ରତ୍ୟାବର୍ତ୍ତନରେ ପନ୍ତଙ୍କ ସ୍ଥାନ ବିପଦରେ ପଡି ଯାଇଛି। ତେନ୍ଦୁଲକର କହିଛନ୍ତି, ମୁଁ କେବଳ ଶୀର୍ଷ ୩ ବ୍ୟାଟସମ୍ୟାନଙ୍କ କଥା କହିବି ନାହିଁ, ଆପଣଙ୍କୁ ଏକ ୟୁନିଟ୍ ଭାବେ ଖେଳିବାକୁ ପଡିବ। ଦେଖିବାକୁ ପଡିବ ଯେ, ଆପଣଙ୍କ ପାଇଁ ଭଲ କଉଟା।

Get real time updates directly on you device, subscribe now.