fbpx

ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଭଦ୍ରକ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଏବେ ଗଭୀର ଅବପାତରେ ପରିଣତ ହୋଇଛି । ଏହା ବାଲେଶ୍ୱର ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିଛି । ଦୀଘା ଦେଇ ଏହା ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଅତିକ୍ରମ କରିଥିବା ଏସଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ।ଅନ୍ୟ ୧୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିାଗ ବିଜ୍ଞାନ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଯେ, ଲଘୁଚାପ ପ୍ରଭାବରେ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକରେ ହଠାତ୍‌ ବନ୍ୟା ଆସିବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟିବାର ସମ୍ଭାବନା ରହିଛି । ସେହିପରି ତଳିଆ ଅଞ୍ଚଳରେ ପାଣି ଜମିବା ସହ କଚ୍ଚାଘର ଓ ମାଟିଘର ପ୍ରଭାବିତ ହେବାର ଆଶଙ୍କା ରହିଛି । ଏପରିକି ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇପାରେ । ଚାଷୀଭାଇମାନେ ଏହି ସମୟରେ ଜମିରେ କୀଟନାଶକ ପ୍ରୟୋଗ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଶନିବାର ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଶ୍ରୀ ଦାସ କହିଛନ୍ତି । ଏହି ସମୟରେ ପବନର ଗତି ଘଣ୍ଟା ପ୍ରତି ୫୦ରୁ ୭୦ କି.ମି. ବେଗ ରହିବ ବୋଲି ସେ କହିଛନ୍ତି । ସମୁଦ୍ର ଅଶାନ୍ତ ରହିବାର ଥିବାରୁ ସମୁଦ୍ରକୁ ମତ୍ସ୍ୟଜୀବୀମାନଙ୍କୁ ନଯିବା ପାଇଁ ବାରଣ କରାଯାଇଛି ।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗଭୀର ଅବପାତ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୫ କି.ମି. ରହିବ । ତେବେ ଏହା ୭୫ କି.ମି. ଅତିକ୍ରମ କରିବାର ସମ୍ଭାବନା ମଧ୍ୟ ରହିଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଗଭୀର ଅବପାତ ଯୋଗୁଁ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ଧୀରେ ଧୀରେ ଏହା ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ବ୍ୟାପିବ । ସମ୍ଭାବ୍ୟ ପବନ ଓ ବର୍ଷାକୁ ନଜରରେ ରଖି ସବୁ ବନ୍ଦରରେ ୩ ନଂ ବିଦ ସଙ୍କେତ ଦିଆଯାଇଛି ।

ତେବେ ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ବାତ୍ୟା ହେବା ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । ତେବେ ବାତ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ସରକାର ଏନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ସମ୍ଭାବ୍ୟ ବର୍ଷାକୁ ନେଇ ଭଦ୍ରକ ଜିଲ୍ଳାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

Get real time updates directly on you device, subscribe now.