fbpx
BSKY
BJD SHG SKY
BJD MC SKY

ଆହୁରି କଲବଲ କରିବ ଅସହ୍ୟ, ବଢ଼ିବ ତାପମାତ୍ରା: ୨୫ରୁ ୨୭ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗିରହିଛି । ବହୁ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରଭାବ ବେଶ୍‌ ଅନୁଭୂତ ହେଉଛି । ସକାଳ ୮ଟାରୁ ସଞ୍ଜ ୬ଟା ଯାଏଁ ଏଥିରୁ ନିସ୍ତାର ମିଳିବା କାଠିକର ପାଠ ହୋଇପଡୁଛି । ଲୋକେ ପ୍ରଚଣ୍ଡ ଗରମ ଓ ଝାଞ୍ଜି ପବନ ତଥା ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି । ତା’ସାଙ୍ଗକୁ ଘନ ଘନ ବିଜୁଳିକାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ତେବେ ଏସବୁ ଭିତରେ ପାଣିପାଗ ବିଭାଗ ଯେଉଁ ସୂଚନା ଦେଇଛି ତାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଆସନ୍ତା ୨୫ରୁ ୨୭ ତାରିଖ ୩ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିବ । ଏପରିକି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ ।

୨୫ରେ ସୋନପୁର, ବୌଦ୍ଧ ଓ ବଲାଙ୍ଗିରରେ ଗ୍ରୀଷ୍ମର ପ୍ରଭାବ ପ୍ରଚଣ୍ଡଭାବେ ଅନୁଭୂତ ହେବାକୁ ଥିବାବେଳେ ୨୬ରେ ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ମୟୂରଭଞ୍ଜ ଏବଂ ୨୭ରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଞ୍ଜ ଓ କଳାହାଣ୍ଡିରେ ପ୍ରଚଣ୍ଡ ତାତିଅନୁଭୂତ ହେବ । ଏଥିସହ ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଶୁକ୍ରବାର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଶନିବାର ଏହା ବୃଦ୍ଧି ପାଇଁ ୪୧.୭ ଡିଗ୍ରୀରେ ପହଞ୍ଚିଛି । ଭୁବନେଶ୍ୱର ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହରଭାବେ ବିବେଚିତ ହୋଇଛି । ଶନିବାର ଦିନ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏହାପରେ ଏହା ବୃଦ୍ଧି ପାଇ ୪୧.୭ରେ ପହଞ୍ଚିଛି । ଆଗକୁ ପାରଦ ଆହୁରି ବଢ଼ିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୧୮ ତାରିଖରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ୪୨.୧ ଡିଗ୍ରୀ ସହ ଅନୁଗୋଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଛି । ସେହିପରି ଶୁକ୍ରବାର ମଧ୍ୟ ତିନୋଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଭୁବନେଶ୍ୱରର ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ଡି ଓ ବୌଦ୍ଧରେ ଏହା ୪୧ ଡିଗ୍ରୀ ରହିଥିଲା । ଶନିବାର ରାଜ୍ୟର ୨୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବାରିପଦା, ବଲାଙ୍ଗୀର ଓ ପାରଳାଖେମୁଣ୍ଡିର ତାପମାତ୍ରା ୪୧ ଡିଗ୍ରୀ ଥିବାବେଳେ କଟକର ତାପମାତ୍ରା ମଧ୍ୟ ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଟିଟିଲାଗଡ଼ରେ ୪୦.୪, ଚାନ୍ଦବାଲି ୪୦.୩, ବୌଦ୍ଧ, ଦେବଗଡ଼ ଓ ଢେଙ୍କାନାଳ ୪୧.୫, ଯାଜପୁର ଓ ନୂଆପଡ଼ା ୪୦.୨ ଏବଂ ଜଗତସିଂହପୁରରେ ତାପମାତ୍ରା ୪୦.୨ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.