ଖୁବଶୀଘ୍ର ହେବ ଆଉ ଏକ ଯୁଦ୍ଧ…! ଅପରେସନ୍ ସିନ୍ଦୂର ମଧ୍ୟରେ ଭାରତୀୟ ସେନା ମୁଖ୍ୟଙ୍କ ଚେତାବନୀ
'ଆମେ ଆଶଙ୍କା କରୁଥିବା ପରବର୍ତ୍ତୀ ଯୁଦ୍ଧ ଖୁବ୍ ଶୀଘ୍ର ହୋଇପାରେ । ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏକ ଚାଞ୍ଚଲ୍ୟକର ଚେତାବନୀ ଦେଇଛନ୍ତି ।
ନୂଆଦିଲ୍ଲୀ: ‘ଆମେ କଳ୍ପନା କରୁଥିବା ପରବର୍ତ୍ତୀ ଯୁଦ୍ଧ ଖୁବ୍ ଶୀଘ୍ର ହୋଇପାରେ…’ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି। ଏହା ସହିତ ‘ଆମକୁ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପଡିବ ଏବଂ ଏଥର ଆମକୁ ଏହି ଯୁଦ୍ଧକୁ ଏକାଠି ଲଢ଼ିବାକୁ ପଡିବ’ ବୋଲି ସେ କହିଛନ୍ତି ।
ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଇଆଇଟି ମାଡ୍ରାସରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦବୋଧନ ଦେଉଥିଲେ। ଏଠାରେ ଅପରେସନ୍ ସିନ୍ଦୂର ଉପରେ ଭାଷଣ ଦେଇ ସେ କହିଛନ୍ତି ଯେ, ୨୨ ଏପ୍ରିଲରେ ପହଲଗାମରେ ଯାହା ଘଟିଥିଲା ତାହା ସମଗ୍ର ଦେଶକୁ ଥରାଇ ଦେଇଛି। ୨୨ ଏପ୍ରିଲରେ ଆତଙ୍କବାଦୀମାନେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ।
ଭାରତୀୟ ସେନାକୁ ଫ୍ରି ହ୍ୟାଣ୍ଡ
ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ସଶସ୍ତ୍ର ବାହିନୀକୁ ଫ୍ରି ହ୍ୟାଣ୍ଡ୍ ଦିଆଯାଇଥିଲା। ସେନାକୁ କ’ଣ କରିବାକୁ ହେବ ତାହା ନିଷ୍ପତ୍ତି ନେବା ପାଇଁ କୌଣସି ପ୍ରତିବନ୍ଧକ ନଥିଲା। ପହଲଗାମ ଆକ୍ରମଣ ପରେ ସରକାରଙ୍କ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ତିନିସେନାକୁ ସ୍ବାଧୀନତା ଦିଆଯାଇଥିଲା ।
୨୩ ଏପ୍ରିଲରେ ହିଁ ତିନି ସେନାର ବୈଠକ ହୋଇଥିଲା । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ “ବହୁତ ହୋଇଗଲା, ଏଥର କିଛି କରିବାକୁ ହେବ” । ତିନିସେନା ବି ଏଥିରେ ଏକମତ ଥିଲେ ଓ ସରକାରଙ୍କ ପକ୍ଷରୁ ସଂପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିଲା । ଏହା ରାଜନୈତିକ ନେତୃତ୍ବଙ୍କ ସ୍ପଷ୍ଟତାର ଏକ ଉଦାହରଣ ଥିଲା ।
ପାକିସ୍ତାନ ସହିତ ଯୁଦ୍ଧ ଏକ ଚେସ୍ ଖେଳ ପରି
ଜେନେରାଲ ଦ୍ୱିବେଦୀ ଆହୁରି କହିଛନ୍ତି, ‘ଅପରେସନ ସିନ୍ଦୂରରେ, ଆମେ ଏକ ପ୍ରକାରର ଚେସ୍ ଖେଳୁଥିଲୁ।’ ଆମେ ଜାଣି ନଥିଲୁ ଯେ ଶତ୍ରୁର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ଏବଂ ଆମର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ। ଏହାକୁ ଗ୍ରେ ଜୋନ୍ କୁହାଯାଏ। ଏହାର ଅର୍ଥ ହେଉଛି ଆମେ ପାରମ୍ପରିକ ଯୁଦ୍ଧ ଲଢ଼ୁ ନଥିଲୁ, ବରଂ ତା’ ପୂର୍ବରୁ ରଣନୀତି ଗ୍ରହଣ କରୁଥିଲୁ। ଆମେ ଚାଲ କରୁଥିଲୁ, ଶତ୍ରୁ ମଧ୍ୟ ଚାଲ କରୁଥିଲା। କେତେବେଳେ ଆମେ ତାକୁ ଚେକମେଟ୍ କରୁଥିଲୁ, କେତେବେଳେ ଆମେ ଆମ ଜୀବନକୁ ବିପଦରେ ପକାଇ ଆକ୍ରମଣ କରୁଥିଲୁ – ଏବଂ ଏହାର ନାଁ ହିଁ ହେଉଛି ଜୀବନ।’