ଓଡ଼ିଶା ସରକାରଙ୍କୁ NGTଙ୍କ ନୋଟିସ୍: ରାଜ୍ୟର ଭୂତଳ ଜଳରେ ରହିଛି ଫ୍ଲୋରାଇଡ୍, ଆର୍ସେନିକ, ନାଇଟ୍ରେଟ ପରି ହାନିକାରକ ରାସାୟନିକ ପଦାର୍ଥ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଭୂତଳ ଜଳକୁ ନେଇ ଆସିଛି ଏକ ଚିନ୍ତାଜନକ ଖବର । ରାଜ୍ୟର ଭୂତଳ ଜଳ ପ୍ରଦୂଷିତ ହେବା ସହିତ ଜଳରେ ଫ୍ଲୋରାଇଡ, ଆର୍ସେନିକ, ନାଇଟ୍ରେଟ ପରି ହାନିକାରକ ପଦାର୍ଥ ରହିଛି । ଏଗୁଡ଼ିକ ଆମ ଶରୀର ପାଇଁ କ୍ଷତିକାରକ ଅଟେ । ତେବେ ଭୂତଳ ଜଳରେ ଆର୍ସେନିକର ମାତ୍ରା ଅଧିକ ରହୁଥିବାରୁ ଏହି ରାସାୟନିକ ପଦାର୍ଥ ମଣିଷର ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି କହିବା ସହ ନ୍ୟାସନାଲ ଗ୍ରୀନ ଟ୍ୟୁବ୍ୟୁନାଲ ଉଦବେଗ ପ୍ରକାଶ କରିଛନ୍ତି ।
ନିକଟରେ କେନ୍ଦ୍ର ଭୂତଳ ଜଳ କର୍ତ୍ତୃପକ୍ଷ (ସିଜିଡବ୍ଲ୍ୟୁଏ) ପକ୍ଷରୁ ଏନଜିଟିଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଥିଲା । ଓଡ଼ିଶା ସମେତ ଦେଶର ୨୩୦ଟି ଜିଲ୍ଲାରେ ଉକ୍ତ ବିଷାକ୍ତ ପଦାର୍ଥ ଅଧିକ ମାତ୍ରାରେ ରହିଥିବା ସେଥିରେ କୁହାଯାଇଥିଲା । ତେବେ ଏହା ରାଜ୍ୟ ସହ ଜଡ଼ିତ ମାମଲା ହୋଇଥିବାରୁ ଏନେଇ ସିଜିଡବ୍ଲ୍ୟୁଏ କୌଣସି ପଦକ୍ଷେପ ଗ୍ରହଣ କରିପାରିବ ନାହିଁ ବୋଲି କହିଛି । ଏନେଇ ଏନଜିଟି ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଭୂତଳ ଜଳ ପ୍ରଦୂଷଣକୁ ନେଇ ଗତ ୨୬ ତାରିଖରେ ଏନଜିଟି ପକ୍ଷରୁ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରାଯାଇଛି । ଭୂତଳରେ ଜଳରେ ଥିବା ମାତ୍ରାଧିକ ଫ୍ଲୋରାଇଡ ଓ ଆର୍ସେନିକ ଭଳି ମାରାତ୍ମକ ପଦାର୍ଥର ନିରାକରଣ ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଏକ ମାସ ମଧ୍ୟରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ନୟାଗଡ଼ ଓ ଖୋର୍ଦ୍ଧାର ଅଧିକାଂଶ ସ୍ଥାନରେ ଭୂଗର୍ଭ ଜଳରେ ଫ୍ଲୋରାଇଡର ମାତ୍ରା ଅଧିକ ରହୁଥିବା ମୁମ୍ବାଇ ସ୍ଥିତ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର, ଆଇଆଇଟି ଖଡ଼ଗପୁରର ଏକ ଟିମର ପରୀକ୍ଷାରୁ ଜଣାପଡ଼ିଛି ।
ସେହିପରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗତ ଏପ୍ରିଲରେ କରାଯାଇଥିବା ପରୀକ୍ଷଣ ମୁତାବକ, ରାଜ୍ୟର ୧୭ଟି ସ୍ଥାନରେ ପୋଟେନସିଆଲ ହାଇଡ୍ରୋଜେନ, ୧୫ଟି ସ୍ଥାନରେ ନାଇଟ୍ରେଟ ଓ ୧ଟି ସ୍ଥାନରେ ଫ୍ଲୋରାଇଡର ମାତ୍ରା ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇଏସ) ମାନକ ଠାରୁ ଅଧିକ ରହୁଛି । ଏହା ପାନୀୟ ଉପଯୋଗୀ ନୁହେଁ । ତେବେ ଯେଉଁ ସ୍ଥାନଗୁଡ଼ିକରେ ଭୂଗର୍ଭ ଜଳ ପାନୀୟ ଉପଯୋଗୀ ନୁହେଁ, ସେଠାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିବା ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି ।