fbpx

ଗିରଫ ହେଲେ ନିମାପଡା ତହସିଲଦାର; ଠୁଳ କରିଥିଲେ ଅମାପ ସମ୍ପତ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଠକ ତହସିଲଦାରଙ୍କୁ ଗିରଫ କରାଯାଇଛି । ତହସିଲଦାର ରାମଚନ୍ଦ୍ରଙ୍କ ସହିତ ସାନଭାଇ ଲକ୍ଷ୍ମଣଙ୍କୁ ମଧ୍ୟ ଗିରଫ କରାଯାଇଛି । ତହସିଲଦାରଙ୍କ ନାମରେ ୫ରୁ ଅଧିକ ପ୍ୟାନ କାର୍ଡ ରହିଥିବା ବେଳେ ତିନି ତିନି ଜଣ ବାପାର ପରିଚୟ ନେଇ ବଞ୍ଚୁଥିଲେ ରାମଚନ୍ଦ୍ର । ଏହା ସହିତ ସାନ ଭାଇ ଲକ୍ଷ୍ମଣଙ୍କୁ ବିଗତ ଏକ ମାସରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ରାମଚନ୍ଦ୍ର । ଏହି ସମସ୍ତ ଟଙ୍କା ଆଇସିଆଇସିଆଇ ବ୍ୟାଙ୍କରେ ଜମା କରାଯାଇଥିବା ବେଳେ ଆକାଉଣ୍ଟଟିକୁ ଜବତ କରି ନେଇଛି ପୋଲିସ ।

ପୁରୀ ଜିଲ୍ଲା ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରି ୪ ଲକ୍ଷ ୬୫ ହଜାର ଜବତ କରିଥିଲା । ଏଥିସହ ଶ୍ରୀ ଜେନାଙ୍କର କଟକର ସିଡିଏ, ଧାନମଣ୍ଡଳ ଓ ଗରଦପୁର ବାସଭବନରେ ଚଢ଼ାଉ କରିଥିଲା । ଏକାଥରକେ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିବାରୁ ଏହାର ପ୍ରକୃତ ହିସାବ ଭିଜିଲାନ୍ସ ଟିମ୍ ଦେବାରେ ଅସମର୍ଥ ହୋଇପଡ଼ିଥିଲା । ତେବେ ଏକାଧିକ ପରିଚୟପତ୍ର ଜବତ ହୋଇଥିବାରୁ ଏସବୁକୁ ଆୟୁଧ କରି ସେ ଆହୁରି ଅନେକ ଠକାମିରେ ସଂଶ୍ଲିଷ୍ଟ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତହସିଲଦାରଙ୍କ ସହ ତାଙ୍କର କାର୍ଯ୍ୟାଳୟର ଅନେକ କର୍ମଚାରୀ ମଧ୍ୟ ଏହି ଦୁର୍ନୀତିରେ ସାମିଲ ରହିଛି । ପାଠ ପଢ଼ୁଆ ପିଲାଙ୍କ ସାର୍ଟିଫିକେଟ, ଗୃହୋପଯୋଗୀ ଜମିଜମା ସଂକ୍ରାନ୍ତୀୟ ଦୁର୍ନୀତିରେ ବୁଡ଼ି ରହିଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ତେବେ ଏହି ସମସ୍ତ କର୍ମଚାରୀ ଓ ତହସିଲଦାର ମିଳିମିଶି କେଉଁ କେଉଁଆଡ଼େ ଦୁର୍ନୀତିର କାୟାବିସ୍ତାର କରିଛନ୍ତି, ତାହା ଖୋଳତାଡ଼ ହେବା ପରେ ଜଣାପଡ଼ିବ । ତେବେ ଯେଉଁ ବ୍ୟକ୍ତି ସ୍ୱାର୍ଥ ପାଇଁ ନିଜର ବାପାଙ୍କ ନାମ ଏକାଧିକ ବାର ପରିବର୍ତ୍ତନ କରିପାରେ, ସେ ବ୍ୟକ୍ତି ଦୁର୍ନୀତିର କେଉଁ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରେ ତାହା ଅନୁମାନ କରିବା ସତରେ କାଠିକର ପାଠ । ସଂପୃକ୍ତ ତହସିଲଦାରଙ୍କ ବିରୋଧରେ ଭିଜିଲାନ୍ସ ଟିମର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ, ତାହା ଉପରେ ସଭିଙ୍କ ନଜର ରହିଛି । ଏପରି ଜଣେ ଭ୍ରଷ୍ଟାଚାରୀ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନକୁ ଅଞ୍ଚଳବାସୀ ସ୍ୱାଗତ କରିଥିବା ପଡ଼ିଛି ।

Get real time updates directly on you device, subscribe now.