fbpx
BSKY SKY
BSKY SKY

BJP- AIADMK ମେଣ୍ଟ କାହିଁକି ଭାଙ୍ଗିଲା: ଏହା ପଛରେ ରହିଛି ୯ଟି ବଡ଼ କାରଣ

BSKY

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଲାଗିଛି ଏକ ବଡ଼ ଝଟକା । ଏନଡିଏ ମେଣ୍ଟରୁ ଓହରି ଯାଇଛି ତାମିଲନାଡ଼ୁର ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ (ଏଆଇଏଡିଏମକେ) । ସର୍ବସମ୍ମତି କ୍ରମେ ଏଆଇଡିଏମକେ ଏକ ପ୍ରସ୍ତାବ ପାରିତ କରିବା ପରେ ମେଣ୍ଟରୁ ଓହରିବା ନେଇ ଘୋଷଣା କରିଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ମେଣ୍ଟ କ’ଣ ପାଇଁ ଭାଙ୍ଗିଲା? ଏହା ପଛରେ କ’ଣ ରହିଛି କାରଣ?

୧- ଗତ ଏକ ବର୍ଷ ହେଲା ବିଜେପି ନେତାମାନେ ଏଆଇଏଡିଏମକେର ପୂର୍ବତନ ନେତୃବୃନ୍ଦ ଓ ଦଳର ସାଧାରଣ ସମ୍ପାଦକ ଏଡାପ୍ପାଡି କେ. ପାଲାନିସ୍ୱାମୀଙ୍କ ବିରୋଧରେ ମନ୍ତବ୍ୟ ଦେଇଆସୁଥିବା ଏଆଇଡିଏମକେ ପକ୍ଷରୁ କୁହାଯାଇଛି ।

୨- ମେଣ୍ଟ ଭାଙ୍ଗିଯିବା ପରେ ବି ତାମିଲନାଡ଼ୁ ବିଜେପି ମୁଖ୍ୟ କେ. ଆନ୍ନାମାଲାଇଙ୍କୁ ବିଜେପି ସମର୍ଥନ କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି । ତେଣୁ ମେଣ୍ଟ ଭାଙ୍ଗିବା ପଛରେ ଦଳ ହିଁ ପରୋକ୍ଷରେ ଦାୟୀ ବୋଲି ଚର୍ଚ୍ଚା ହେଉଛ ।

୩- ବିଜେପି ନେତା ଆନ୍ନାମାଲାଇଙ୍କ ମନ୍ତବ୍ୟକୁ ନେଇ ଗତ ୧୧ ତାରିଖରେ ବିବାଦ ସୃଷ୍ଟି ହୋଇଥିଲା । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅନ୍ନାଦୁରଈ ୧୯୫୬ରେ ଏକ କାର୍ଯ୍ୟକ୍ରମରେ ହିନ୍ଦୁ ଧର୍ମର ଅପମାନ କରିଥିବା ଅଭିଯୋଗ ହୋଇଥିଲା । ନିଜର ବୟାନ କାରଣରୁ ଅନ୍ନାଦୁରାଈଙ୍କୁ ମଦୁରେଇରେ ଲୁଚିବାକୁ ପଡ଼ିଥିଲା ଓ କ୍ଷମା ମାଗିବା ପରେ ସେ ଯାତ୍ର କରିପାରିଥିଲେ ବୋଲି ଆନ୍ନାମାଲାଇ କହିଥିଲେ ।

୪- ତେବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏଭଳି ବିବାଦୀୟ ମନ୍ତବ୍ୟ ଦେବା ପରେ ଆନ୍ନାମାଲାଇ କ୍ଷମା ମାଗିବାକୁ ଅଗ୍ରାହ୍ୟ କରିଦେଇଥିଲେ । ଏପରିକି ଅନ୍ନାଦୁରାଈଙ୍କ ବିଷୟରେ ସେ କିଛି ଭୁଲ କହିନଥିବା କହିଥିଲେ । ଏଥିସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ଭାଜପା ନେତାମାନେ ବଦନାମ କରୁଥିବା ଏଆଇଡିଏମକେର ନେତାମାନେ ଅଭିଯୋଗ କରିଥିଲେ ।

୫- ତେବେ ଏଠାରେ ପ୍ରଶ୍ନ ଉଠୁଛି ମେଣ୍ଟ ଭାଙ୍ଗିବା ପାଇଁ ଦାୟୀ କିଏ?କିଛି ନେତାଙ୍କ ଅସନ୍ତୋଷ ଓ ଅନ୍ୟ କିଛି ଫ୍ୟାକ୍ଟର କାଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ତେବେ ଗତ କିଛିମାସ ଧରି ଆନ୍ନାମାଲାଇ ନିଜକୁ ଜଣେ ଶକ୍ତିଶାଳୀ ବିରୋଧୀ ଦଳ ନେତା ଭାବେ ଉପସ୍ଥାପନ କରିବାକୁ ପ୍ରୟାସ କରୁଥିବା ଏଆଇଡିଏମକେ ପକ୍ଷରୁ କୁହାଯାଇଛି ।

୬- ବିଜେପି ଆଇଟି ୱିଙ୍ଗ ମୁଖ୍ୟ ନିର୍ମଳ କୁମାର ବିଜେପି ଛାଡ଼ିବା ପରେ ଏଡାପ୍ପାଡି କେ. ପାଲାନିସ୍ୱାମୀଙ୍କ ଉପସ୍ଥିତିରେ ସେ ଏଆଇଏଡିଏମକେରେ ସାମିଲ ହୋଇଥିଲେ । ଏହା ବିଜେପି ପାଇଁ ଚିନ୍ତାର କାରଣ ପାଲଟିଥିଲା ।

୭- ଏଆଇଡିଏମକେର କିଛି ନେତା ଓ ଆନ୍ନାମାଲାଇଙ୍କ ସହଯୋଗୀଙ୍କ ମଧ୍ୟରେ କ୍ରମାଗତ ଭାବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା । ଆନ୍ନାମାଲାଇ ଏନଡିଏର ସିଏମ ଚେହେରା ଭାବେ ପାଲାନିସ୍ୱାମୀଙ୍କୁ ଗ୍ରହଣ କରିନଥିଲେ ।

୮- ବୟାନ ବିବାଦ ପରେ ଆନ୍ନାମାଲାଇଙ୍କୁ ପଦରୁ ହଟାଇବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ ଏଆଇଏଡିଏମକେ ଦାବି ରଖିଥିଲା । ମାତ୍ର ତାହା ପୂରଣ ନହେବାରୁ ଏଆଇଏଡିଏମକେ ମେଣ୍ଟରୁ ଓହରିଯିବା ନିଷ୍ପତ୍ତି ନେଇଥିବା କୁହାଯାଉଛି ।

୯- ବିଜେପି-ଏଆଇଏଡିଏମକେ ମେଣ୍ଟରେ ରହିଥିଲେ ହେଁ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍ଗର ନିଷ୍ପତ୍ତି ଭିନ୍ନ ଭିନ୍ନ ରହୁଥିଲା । ବିଜେପି ତାମିଲନାଡ଼ୁର ଜନତାଙ୍କ ଭାବନା ଓ ବିଭିନ୍ନ ମୁଖ୍ୟ ପ୍ରସଙ୍ଗରେ ବିପରୀତ ଆଭିମୁଖ୍ୟ ଆପଣାଉଥିବା ଏଆଇଏଡିଏମକେର ହୃଦବୋଧ ହୋଇଥିଲା ।

Get real time updates directly on you device, subscribe now.