‘ଓଡ଼ିଶା ହାଇୱେ ଆମେରିକା ଭଳି ହେବ’, ଭୁବନେଶ୍ୱର ବରମୁଣ୍ଡା ସଭାରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ସମ୍ବୋଧନ

ନୀତିନ ଗଡ଼କରୀଙ୍କ ସମ୍ବୋଧନ, କହିଲେ- ଆମରିକା ଭଳି ହେବ ଓଡ଼ିଶାର ରାସ୍ତା

ଭୁବନେଶ୍ୱର: ବରମୁଣ୍ଡା ପଡ଼ିଆରେ ଆୟୋଜିତ ବିରାଟ ସଭାରେ କେନ୍ଦ୍ର ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଓଡ଼ିଶାକୁ ୪ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି। ସେ ୧୫୪ କିମି ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।

ଶିଳାନ୍ୟାସ ପରେ ନୀତିନ ଗଡ଼କରୀ ସମ୍ବୋଧନ ଜଣାଇଛନ୍ତି। ସେ ସମ୍ବୋଧନରେ କହିଛନ୍ତି ଯେ, ଜଗନ୍ନାଥଙ୍କ ଭୂମିରେ ଆସିବାକୁ ସୁଯୋଗ ମିଳିଥିବାରୁ ଧନ୍ୟ ମନେବ କରୁଛି। ବିକାଶ କରିବାକୁ ହେଲେ ସଡ଼କ ପଥର ଭିତ୍ତିଭୂମି ଆବଶ୍ୟକ।

ସେ ଆହୁରି କହିଛନ୍ତି ଯେ, ଓଡ଼ିଶା ହାଇୱେ ଆମେରିକା ଭଳି ହେବ। ଓଡ଼ିଶାରେ ୨ ଲକ୍ଷ କୋଟିର ପ୍ରକଳ୍ପ କାମ ଚାଲୁ ରହିଛି। ରାଞ୍ଚ-ସମ୍ବଲପୁର ଦ୍ୱିତୀୟ କରିଡର୍ ୮୦୦୦ କୋଟି ବ୍ୟୟରେ ହେବ।

ଚଣ୍ଡିଖୋଲ-ପାରାଦୀପ କରିଡର୍ ୨୦୨୬ ଡିସେମ୍ବର ସୁଦ୍ଧା ଶେଷ ହେବ। ୨ ଘଣ୍ଟାର ଯାତ୍ରା ହ୍ରାସ ପାଇ ୧ ଘଣ୍ଟା ମଧ୍ୟରେ ହେବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, କ୍ୟାବିନେଟ ମଞ୍ଜୁରୀ ପରେ ଭୁବନେଶ୍ୱର ରିଂରୋଡ କାମ ଆରମ୍ଭ ହେବ। ସିଆରଆଇଏଫରେ ୮୦୦ କୋଟିକୁ ମଞ୍ଜୁର କରୁଛି ବୋଲି ଗଡ଼କରୀ କହିଛନ୍ତି।

ସମ୍ବୋଧନରେ ସେ ଆହୁରି କହିଛନ୍ତି ଯେ, ବ୍ରହ୍ମପୁର, ସମ୍ବଲପୁର, ବଲାଙ୍ଗିର, ନୟାଗଡ଼, ଝାରସୁଗୁଡ଼ାରେ ହେବ ବାଇପାସ୍‌। ଭୁବନେଶ୍ୱର-ପୁରୀ ରାସ୍ତା ୬ ଲେନ୍ ହେବ। ସାଗରମାଳା ଯୋଜନାରେ ପାରାସୀପ ବନ୍ଦରରେ ଅନେକ କାମ ହୋଇଛି ବୋଲି ଗଡ଼କରୀ କହିଛନ୍ତି।