fbpx

NMCର ନିୟମ ବଦଳିଲା: ଜେନେରିକ ମେଡିସିନ ବ୍ୟତୀତ ଅନ୍ୟ ମେଡିସିନ୍ ମଧ୍ୟ ଲେଖିପାରିବେ ଡାକ୍ତର

ନୂଆଦିଲ୍ଲୀ: ନିକଟରେ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନଏମସି) ନୂଆ ନିୟମ ଲାଗୁ କରିଥିଲା । ସମସ୍ତ ଡାକ୍ତରମାନେ ଜେନେରିକ ମେଡିସିନ ଲେଖିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା । ଏପରି ନକଲେ ଡାକ୍ତରଙ୍କର ଲାଇସେନ୍ସ ରଦ୍ଦ କରିଦିଆଯିବ ବୋଲି କୁହାଯାଇଥିଲା । ତେବେ ଏହାପରେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ), ଫେଡେରେସନ ଅଫ୍ ରେଜିଷ୍ଟର୍ଡ ଆସୋସିଏସନ (ଫୋର୍ଡା) କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କ ସହ ଯୋଗଯୋଗ କରିଥିଲେ । ଏହାପରେ ଏବେ ଉକ୍ତ ନିଷ୍ପତ୍ତିରେ ରୋକ ଲାଗିଛି ।

ନିକଟରେ ଡାକ୍ତରଙ୍କ ପାଇଁ ଜେନେରିକ ମେଡିସିନ ଲେଖିବା ଜରୁରୀ କରାଯାଇଥିବା ବେଳେ ଏବେ ଆୟୋଗ ନୂଆ ନିଷ୍ପତ୍ତିକୁ ତ୍ୱରିତ ଭାବେ ରୋକ ଲାଗୁ କରିଛନ୍ତି । ଏଣିକି ଡାକ୍ତରମାନେ ଜେନେରିକ ମେଡିସିନ ବ୍ୟତୀତ ଅନ୍ୟ ମେଡିସିନ ମଧ୍ୟ ପ୍ରେସକ୍ରାଇବ କରିପାରିବେ । ଆଇଏମଏ, ଫୋର୍ଡା ପକ୍ଷରୁ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏବେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ଡାକ୍ତରମାନେ ଏନଏମସିର ଆରଏମପି ରେଗୁଲେସନ ୨୦୨୩କୁ ବିରୋଧ କରିଥିଲେ । ଏଥିସହିତ ଭାରତରେ ଜେନେରିକ ମେଡିସିନର ଗୁଣବତ୍ତା ଠିକ ନାହିଁ ଓ ଏପରି ନିୟମ ଲାଗୁକଲେ ରୋଗୀଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ସେମାନେ କହିଥିଲେ । ପ୍ରତ୍ୟେକ ଡାକ୍ତରଙ୍କୁ ସ୍ପଷ୍ଟଭାବେ ଜେନେରିକର ନାମର ଉପଯୋଗ କରି ମେଡିସିନ ଲେଖିବାକୁ ଏନଏମସିର ପୂର୍ବ ନିୟମରେ କୁହାଯାଇଥିଲା । ଏପରି ନକଲେ ଲାଇସେନ୍ସ ରଦ୍ଦ ହୋଇଯିବ ବୋଲି ମଧ୍ୟ ନିୟମ ରହିଥିଲା । ନିୟମ ବିଷୟରେ ଅଧିକ ସାବଧାନ ରହିବାକୁ ଡାକ୍ତରଙ୍କୁ ଚେତାବନୀ ନିଆଯାଇଥିଲା ।

Get real time updates directly on you device, subscribe now.