କଟକ ପ୍ରଶାସନର ନିଷ୍ପତ୍ତି, ଆଜି ବାଲିଯାତ୍ରାରେ ହେବନି ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ବର:  ବାଲିଯାତ୍ରାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆଜି ବାଲିଯାତ୍ରା ପଡିଆରେ ହେବନି ଡିଜେ ଡ୍ୟାନ୍ସ କି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଜି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । କୌଣସି ପ୍ରକାର ନାଚ ଗୀତ ହେବ ନାହିଁ । ଏନେକ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଜି ଦିନକ ପାଇଁ ହିଁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ନେଇ କୁହାଯାଇଛି। ଗତ 16 ତାରିଖରୁ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ତୃତୀୟ ସଂନ୍ଧ୍ୟା । ପ୍ରତିଦିନ ସଂନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେଉଥିବା ବେଳେ ଦର୍ଶକ ମଧ୍ୟ ଏହାକୁ ବେଶ୍ ଉପଭୋଗ କରୁଥିବା ଦେଖାଯାଇଥିଲା । କିନ୍ତୁ ଆଜି ବରିଷ୍ଠ ବିଜେପି ନେତା ସମୀର ଦେଙ୍କର ଦେହାନ୍ତ କାରଣରୁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି କଟକ ପ୍ରଶାସନ ନିଷ୍ପତ୍ତି ନେଇଛି ।

କହିରଖୁଛୁ କି, 67 ବର୍ଷ ବୟସରେ ଆଜି ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କର ପରଲୋକ ହୋଇଛି । ସେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ବେଳେ ଆଜି କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କଟକ ଖାନ୍‌ନଗର ମଶାଣିରେ ହେବ ସମୀର ଦେ’ଙ୍କ ଶେଷକୃତ୍ୟ ହେବା ନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି ।