ସମାଜରୁ ହଜିଗଲାଣି ମାନବିକତା? ଦୋଷ କରୁଛି ଜଣେ, ଦଣ୍ଡ ପାଉଛି ନିଷ୍ପାପ ଶିଶୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳର ଲରିପାଲି ଜଙ୍ଗଲର ଏକ ପରିତ୍ୟକ୍ତ ନଳକୂପରୁ ଉଦ୍ଧାର ହୋଇଥିବା ନବଜାତକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ପାଖାପାଖି ୮ ଘଣ୍ଟାର ସଂଘର୍ଷ ପରେ ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ୨୫ ଫୁଟ ବୋରୱେଲ ଭିତରୁ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

ଉକ୍ତ ଶିଶୁଟି ଉଦ୍ଧାର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହ ତା’ର ଦୀର୍ଘଜୀବନ କାମନା କରିଛନ୍ତି । ତେବେ ଏହି ଘଟଣା ପରେ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ଏହି ଶିଶୁଟିକୁ କିଏ ଓ କାହିଁକି ବୋରୱେଲ ଭିତରେ ପକାଇଥିଲା, ଶିଶୁକୁ ଏମିତି ଦୟନୀୟ ଭାବେ ପକାଇ ଦେଇ ଚାଲିଯିବା ପଛରେ କାହାର କ’ଣ ଉଦ୍ଦେଶ୍ୟ ରହିଥିଲା? ଗୋଟିଏ ମଣିଷ ଭୁଲ କରୁଛି, ମାତ୍ର ଗୋଟିଏ ସରଳ ନିଷ୍ପାପ ଶିଶୁ ତା’ର ଦଣ୍ଡ ପାଉଛି ।

ଏହି ଘଟଣା ପରେ ଲାଗୁଛି ସତେ ଯେମିତି ଆମ ସମାଜରୁ ମାନବିକତା ହଜିଯାଇଛି । ଏହି ଘଟଣା ଆମ ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା । ଏହାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ମଣିଷ ଯେତେବେଳେ ନିଜତ୍ୱ ହରାଇବସେ ସେତେବେଳେ ସେ ପଶୁ ପାଲଟିଯାଏ । ଈଶ୍ୱରଙ୍କ ସୃଷ୍ଟିରେ ମଣିଷକୁ ଶ୍ରେଷ୍ଠ ଜୀବ କୁହାଯାଉଥିବା ବେଳେ ଏବେ ସେହି ମଣିଷଠାରେ ସତେଯେମିତି ମାନବିକତା ମରିଯାଇଛି । ଏହି ଘଟଣା କାହିଁକି ଘଟିଲା, ଏଥିପାଇଁ କିଏ ଦାୟୀ ତା’ର ତଦନ୍ତ ହେବା ଆବଶ୍ୟକ ।