ଭୁବନେଶ୍ୱର- ଆସନ୍ତା ମାସରୁ ମଣ୍ଡିରେ ଧାନ କିଣା ଆରମ୍ଭ ହେବ । ବିଜେପି ସରକାର ଆସିବା ପରେ ମଣ୍ଡିରେ ନୂଆ ନିୟମ କରିଛନ୍ତି । ଦୀର୍ଘ ଦିନରୁ ଚାଷୀ କଟନୀ ଛଟନୀକୁ ନେଇ ଅଭିଯୋଗ କରିଆସୁଥିଲେ । ତେଣୁ ଆଉ କଟନୀ, ଛଟନୀ କରି ଚାଷୀଙ୍କୁ ଠକାଯିବ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଧାନ କିଣା ବେଳେ ମନଇଛା କଟନୀ, ଛଟନୀ ହେବ ନାହିଁ । ଧାନର ମାନ ତାର ଏଫଓକ୍ୟୁ ଓ ଆର୍ଦ୍ରତାକୁ ନେଇ ନିର୍ଦ୍ଧାରଣ କରାଯିବ । କିନ୍ତୁ ମିଲର ମନଇଛା ଚାଷୀଙ୍କ ଧାନରେ କାଟଛାଟ କରିପାରିବେ ନାହିଁ । ଏନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଏଥିସହ, ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ଧାନ ବିକ୍ରିକୁ ସହଜ କରିବା ପାଇଁ ଦୁଇଟି ସ୍ଲିପ ବ୍ୟବସ୍ଥା ହେବ । ଗୋଟିଏ ଚାଷୀଙ୍କ ପାଖରେ ରହିବା ବେଳେ ଅନ୍ୟଟି ସରକାର ନିକଟରେ ରହିବ । ଆସନ୍ତା ୮ରୁ ଧାନ କିଣା ଆରମ୍ଭ ହେବ । ତେବେ ଯେଉଁ ଧାନର ଏଫଏକ୍ୟୁ କମ ଥିବ ଓ ଆର୍ଦ୍ରତା ଅଧିକ ଥିବ, ତାକୁ ନେଇ କେତେ କଟା ଯିବ, ତାହା ନିର୍ଦ୍ଧାରଣ କରାଯିବ । କିନ୍ତୁ ମନଇଛା ଧାନ କଟାଯିବନି ବୋଲି କହିଛନ୍ତି କନକ ବର୍ଦ୍ଧନ ।
ଧାନ କିଣା କାମ ବରଗଡରୁ ଆରମ୍ଭ ହେବା ନେଇ କହିଛନ୍ତି ମନ୍ତ୍ରୀ । ଚାଷୀଙ୍କ ସୁବିଧା ପାଇଁ ପ୍ରଥମ ଥର ପାଇଁ ସରକାର ନୂଆ ବ୍ୟବସ୍ଥା କରିଥିବା ସେ କହିଛନ୍ତି ।