ସାମାଜିକ ଚଳଣି ବିରୋଧରେ ଲିଭ୍‌-ଇନ୍ ସମ୍ପର୍କକୁ ଅନୁମତି ମିଳିବ ନାହିଁ: ଆଲ୍ଲାହବାଦ ହାଇକୋର୍ଟ

ନୂଆଦିଲ୍ଲୀ: ସାମାଜିକ ଚଳଣିକୁ ଧ୍ୟାନରେ ରଖି ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଜଣେ ମହିଳା ଏବଂ ତାଙ୍କ ଲିଭ୍‌-ଇନ୍ ପାର୍ଟନରଙ୍କ ଦ୍ୱାରା କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା ଯେ ସେମାନଙ୍କୁ ଏକାଠି ରହିବା ପାଇଁ ସୁରକ୍ଷା ଦିଆଯାଉ । କାରଣ ମହିଳାଙ୍କ ସ୍ୱାମୀଙ୍କଠାରୁ ସେମାନଙ୍କୁ ବିପଦରେ ରହିଛି ।

ଏହି ଆବେଦନ ଶୁଣାଣି କରି କୋର୍ଟ ତାଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ, ଦେଶର ସାମାଜିକ ଚଳଣି ବିରୋଧର ଲିଭ୍‌-ଇନ୍ ସମ୍ପର୍କକୁ ଅନୁମତି ଦିଆଯାଇପାରିବ ନାହିଁ । ତେବେ ଜଷ୍ଟିସ ରେଣୁ ଅଗ୍ରୱାଲ ସ୍ପଷ୍ଟ କରିଛି ଯେ କୋର୍ଟ ଲିଭ୍‌-ଇନ୍ ସମ୍ପର୍କ ବିରୋଧୀ ନୁହେଁ ବରଂ ବେଆଇନ ସମ୍ପର୍କ ବିରୋଧୀ ।

କୋର୍ଟରେ ଆବେଦନ କରିଥିବା ମହିଳାଙ୍କ ବୟସ ୩୭ ବର୍ଷ ଅଟେ, ଯିଏ ଉତ୍ତରପ୍ରଦେଶର ବାସିନ୍ଦା । ସେ ତାଙ୍କ ପୁରୁଷ ସାଥୀ ସହିତ ଏହି ପିଟିସନ ଦାଖଲ କରିଥିଲେ ଯେ ଯଦିଓ ସେ ତାଙ୍କ ସହିତ ବିବାହିତ ନୁହଁନ୍ତି, ତଥାପି ସେ ସ୍ୱେଚ୍ଛାକୃତ ଭାବେ ତାଙ୍କ ସହିତ ଏକ ଲିଭ୍‌-ଇନ୍ ସଂପର୍କରେ ରହୁଛନ୍ତି । ଏଭଳି ପରିସ୍ଥିତିରେ ସେ ତାଙ୍କ ସ୍ୱାମୀଙ୍କଠାରୁ ବିପଦ ଥିବା ଆବେଦନରେ କହିଥିଲେ । ସେଥିପାଇଁ ତାଙ୍କୁ ଏବଂ ତାଙ୍କ ସାଥୀଙ୍କୁ ଏକାଠି ରହିବା ପାଇଁ ସୁରକ୍ଷା ଦିଆଯିବା ଉଚିତ୍ ବୋଲି କୋର୍ଟଙ୍କୁ ଜଣାଇଥିଲେ ।